୬୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ପୂଜା ଭେଟି ଦେଲେ ପ୍ରଧାନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଝାରସୁଗୁଡ଼ା ଅମଲିପାଲିରେ ଆୟୋଜିତ ସେବା ପର୍ବରେ ଯୋଗ ଦେଇ ୬୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ପୂଜା ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଭିନ୍ନ ପ୍ରଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ୧ ଲକ୍ଷ ଟେଲିକମ ଟାୱାର ନିର୍ମାଣ, ଭୁବନେଶ୍ୱରରେ ୨ ସେମି କଣ୍ଡକ୍ଟର ଇଏସଡିଏମ ପାର୍କର ଶିଳାନ୍ୟାସ କରିଛନ୍ତି ମୋଦି ।

୮ଟି ଆଇଆଇଟିର କ୍ଷମତା ବୃଦ୍ଧି ସହ ସମ୍ବଲପୁର ସିଟି ଫ୍ଲାଇ ଓଭର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବ୍ରହ୍ମପୁରରୁ ଗୁଜରାଟ ଉଦନାକୁ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ମଧ୍ୟ କରିଛନ୍ତି ମୋଦି ।

ଝାରସୁଗୁଡ଼ାରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ଓଡି଼ଆରେ ଭାଷଣ ଆରମ୍ଭ କରି ରାଜ୍ୟବାସୀଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇଥିଲେ ମୋଦି । ଓଡ଼ିଶାର କଳା ଓ ସଂସ୍କୃତିର ଅନେକ ପ୍ରଶଂସା କରିଥିଲେ । ଓଡ଼ିଶାର କଳା ବିଶ୍ଵ ପ୍ରସିଦ୍ଧ ବୋଲି କହିଥିଲେ ମୋଦି । ଗରିବ, ଦଳିତଙ୍କୁ ସଶକ୍ତ କରିବା ସହ ମୌଳିକ ସୁବିଧା ଉପଲବ୍ଧ କରାଇବା ମୂଳ ଲକ୍ଷ୍ୟ । ଅନ୍ତୋଦୟ ଗୃହ ଯୋଜନାରେ ୫୦ ହଜାର ପରିବାରଙ୍କୁ ସ୍ଵୀକୃତି ପତ୍ର ବଣ୍ଟନ କରିଥିଲେ ମୋଦି ।

ଚିପ୍ ଠାରୁ ଆରମ୍ଭ କରି ସିପ୍ ପର୍ଯ୍ୟନ୍ତ ଭାରତ ଆତ୍ମନିର୍ଭର ହେବ । ପାରାଦୀପରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଶିଳ୍ପକ୍ଷେତ୍ର ନିର୍ମାଣ ହେବ । ଓଡ଼ିଶାର ଯୁବକଙ୍କୁ ରୋଜଗାର ସୁଯୋଗ ମିଳିବ । ଜନତାଙ୍କୁ ସମ୍ବୋଧିତ କରି ଝାରସୁଗୁଡ଼ା ବିମାନ ବନ୍ଦର ସାରା ଦେଶର ଲୋକଙ୍କୁ ଯୋଡି ପାରିଛି ଓ ଆଜିର ସମାବେଶ ଯୁବକଙ୍କ ପାଇଁ ବେଶ୍ ଉପାଦେୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ । ଝାରସୁଗୁଡାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦେଖି ବେଶ୍ ଉତ୍ସାହିତ ଥିଲେ ରାଜ୍ୟବାସୀ । ବିମାନବନ୍ଦରରୁ ଅମଲିପାଲି ପର୍ଯ୍ୟନ୍ତ ଏକ ବିରାଟ ରୋଡ ଶୋ’ର ଆୟୋଜନ କରାଯାଇଥିଲା ।