ଭୁବନେଶ୍ବର ବିମାନ ବନ୍ଦରକୁ ପକ୍ଷୀ ଭୟ; ସର୍ଭେ କରିବାକୁ ପରିବେଶବିତଙ୍କୁ ନେଇ ଟିମ୍ ଗଠନ

1 min read

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ବିମାନବନ୍ଦରରୁ ଟଳୁନି ପକ୍ଷୀ ମାଡ଼ ବିପଦ । କେବଳ ବିମାନବନ୍ଦର ପାଖରେ ଥିବା ଆମିଷ ଦୋକାନ ନା ଅନ୍ୟ କାରଣ ରହିଛି । ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ । ଏଥିପାଇଁ ପରିବେଶବିତଙ୍କୁ ନେଇ ଏକ ଟିମ ଗଠନ କରାଯିବ । ଏହି ଟିମ୍ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ମିଶି ପକ୍ଷୀ ଆସିବାର କାରଣ ଖୋଜିବେ ।

ବାରମ୍ବାର ବିମାନ ଉଡ଼ାକୁ ବାଧା ଦେଉଛି ପକ୍ଷୀ ମାଡ଼ । ଭୁବନେଶ୍ବର ବିମାନ ବନ୍ଦରକୁ ଏହି ବିପଦ ସବୁ ସମୟରେ ଲାଗି ରହୁଛି । ଯେଉଁଥିପାଇଁ ବିମାନ ବନ୍ଦର ପାଖରେ ଥିବା ଆମିଷ ଦୋକାନଗୁଡ଼ିକୁ ପ୍ରଶାସନ ଉଚ୍ଛେଦ କରିଥିଲା । ହେଲେ ଏବେ ବି ମାଳମାଳ ପକ୍ଷୀ ବିମାନ ବନ୍ଦର ଆଡ଼କୁ ମାଡ଼ି ଆସୁଛନ୍ତି । ଯାହା ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହାର ଏବେ କାରଣ ଖୋଜିବେ ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷ । ଏଥିପାଇଁ ଗଠନ ହେବ ଏକ୍ସପର୍ଟ ଟିମ୍ । ଏହି ଟିମରେ ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଅଧିକାରୀମାନଙ୍କ ସହ ପରିବେଶବିତଙ୍କୁ ସ୍ଥାନ ମିଳିବ । ବିମାନ ବନ୍ଦର ସେଫଟି କମିଟି ମନିଟରିଂ କରି ଆମିଷ ଦୋକାନ ବନ୍ଦ କରିଥିଲେ । ଆମିଷ ଦୋକାନ ନଥାଇ ବି କେଉଁଠୁ ଆସୁଛନ୍ତି ପକ୍ଷୀ ? ସିଟି ଭିତରେ ବିମାନ ବନ୍ଦର ଥିବାରୁ ପକ୍ଷୀ ଆସିବା ସ୍ବାଭାବିକ । ହେଲେ ଏତେ ମାତ୍ରାରେ କାହିଁକି ଆସୁଛନ୍ତି । ଏହାର ସର୍ଭେ କରି ପ୍ରତିକାର ବ୍ୟବସ୍ଥା କରାଯିବ ।

ଆମିଷ ଦୋକାନ ସହ ଅନ୍ୟ କାରଣକୁ ପକ୍ଷୀ ଆଗମନ ପାଇଁ ଦାୟୀ କରିଛନ୍ତି ପରିବେଶବିତ । ରନ-ୱେ ପାଖରେ ଘାସ ଥିବାରୁ ଏଥିରେ କୀଟ ରହିଥାନ୍ତି । କୀଟ ଖାଇବାକୁ ପକ୍ଷୀ ରନ-ଓ୍ବେକୁ ଆସିବାରୁ ବିମାନ ସହ ମାଡ଼ ହୁଅନ୍ତି । ରନ-ଓ୍ବେ ପାଖରେ ଅଳିଆ ଓ ପାଣି ଉତ୍ସ ବି ପକ୍ଷୀକୁ ଆକର୍ଷିତ କରେ । ବେଳେବେଳେ ବିଦେଶୀ ପକ୍ଷୀ ଚିଲିକାକୁ ଯିବା ପାଇଁ ଭୁବନେଶ୍ବର ଆକାଶକୁ ବାଟ ଭାବେ ବାଛିଥାନ୍ତି । ରନ-ଓ୍ବେ ପାଖରେ ବଡ଼ ଗଛ ଥିଲେ, ସେଥିରେ ପକ୍ଷୀ ବସା କରନ୍ତି । ତେବେ ରନ-ଓ୍ବେ କଡ଼ରେ ରହିଛି ଓୟୁଏଟି । ସେଠାରେ ଗବେଷଣା ପାଇଁ ଚାଷ କରାଯାଇଥାଏ । ଏହାକୁ ଖାଇବା ପାଇଁ ବି ପକ୍ଷୀ ମାଡ଼ି ଆସନ୍ତି ।

ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷ ଓ ଓୟୁଏଟି ଭିତରେ ବିବାଦ ଲାଗି ରହିଛି । ସୁରକ୍ଷିତ ରନ-ଓ୍ବେ ପାଇଁ ଓୟୁଏଟି ଫାର୍ମ ସ୍ଥାନାନ୍ତର କରିବାକୁ ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷ ବାରମ୍ବାର ଦାବି କରିଛନ୍ତି । ହେଲେ ଏହି ବିବାଦ ଉପରୁ ଅବସାନ ଘଟୁନି ।