ମହାନଦୀ ଜଳ ବିବାଦକୁ ନେଇ ବିବାଦୀୟ ବୟାନ, ସୁପ୍ରିମକୋର୍ଟ ଯିବାକୁ ମହାନଦୀ ବଞ୍ଚାଅ ଆନ୍ଦୋଳନର ଚେତାବନୀ

ନନ୍ଦିଘୋଷ ବ୍ୟୁରୋ: ମହାନଦୀ ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ସ୍ପଷ୍ଟୀକରଣ ରଖିବାକୁ ଦାବି କରିଛି ସଂଗଠନ । ମହାନଦୀ ଜଳ ବିବାଦ କୃତ୍ରିମ ଓ ରାଜନୈତିକ ବୋଲି ଦିଆଯାଇଥିବା ମନ୍ତବ୍ୟ ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ଦେଇଛି ଚେତାବନୀ ।
ବିବାଦୀୟ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ମହାନଦୀ ଜଳ ବିବାଦ କେମିତି ହେଲା କୃତ୍ରିମ ସମସ୍ୟା ବୋଲି ପ୍ରଶ୍ନ ଉଠାଇଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଜଳ ବିଶେଷଜ୍ଞ । ପୂର୍ବରୁ ଦିଲ୍ଲୀରେ ଉମା ଭାରତୀଙ୍କ ଉପସ୍ଥିତିରେ ମହାନଦୀ ଜଳ ବିବାଦକୁ ନେଇ ବୈଠକ ହୋଇଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ୍ୟାମ ବନ୍ଦ ପାଇଁ ଦାବି ରଖିଥିଲେ । କିନ୍ତୁ ତତ୍କାଳୀନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଏହାକୁ ବନ୍ଦ କରିବାକୁ ମନା କଲେ । ରାଇପେରିଆନ ବିଷୟ କହି ଉମା ଭାରତୀ ସେତେବେଳେ ଏଡାଇ ଗଲେ । ଏହାକୁ ନେଇ ଓଡ଼ିଶାରେ ଆନ୍ଦୋଳନ ହେଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୧୯୫୬ ଆଇନ ଅନୁଯାୟୀ ୨୦୧୮ରେ ଗଠନ ହେଲା ଟ୍ରିବ୍ୟୁନାଲ । ମାମଲା ଟ୍ରିବ୍ୟୁନାଲରେ ଚାଲିଥିବାବେଳେ କିପରି କୃତ୍ରିମ କେମିତି ହେଲା ବୋଲି ପ୍ରଶ୍ନ ହୋଇଛି ।
ରମଣ ସିଂଙ୍କ ସମୟରେ ବ୍ୟରେଜ ନିର୍ମାଣ ହୋଇଥିବାରୁ ଓଡିଶା ଦଶା ଭୋଗୁଛି । ଟ୍ରିବ୍ୟୁନାଲରେ କ୍ରିଷ୍ଣା, କାବେରୀ, ଗୋଦାବରୀ ପ୍ରସଙ୍ଗରେ ଶୁଣାଣି ଯୋଗୁଁ ସହମତିରେ ଚାଲିଛି । ଟ୍ରିବ୍ୟୁନାଲରେ ସମସ୍ୟା ସମାଧାନ ହେବନି ବୋଲି କହିବା ବଡ଼ ଭୁଲ ବୋଲି କହିଛନ୍ତି ଜଳ ବିଶେଷଜ୍ଞ । ମହାନଦୀ ବିବାଦକୁ କୃତ୍ରିମ କୁହାଯାଉଥିବାରୁ ଏହା ଛତିଶଗଡ଼କୁ କ୍ଲିନ ଚିଟ୍ ଦେବା ପରି ହେଉଛି ବୋଲି ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବାକୁ ଦାବି ଉଠିଛି ।
ମହାନଦୀ ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଭାରତର ପ୍ରତ୍ୟେକ ଜଳ ବିବାଦ ସମସ୍ୟାର ସମାଧାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାଦ୍ୱାରା ଓଡ଼ିଶା ନିଜର ହକ ହରାଇବ । ଯଦି ମହାନଦୀ ପ୍ରସଙ୍ଗ କୃତ୍ରିମ ତା’ହେଲେ ମହାନଦୀ ପାଇଁ ଦୀର୍ଘ ଦିନ ଧରି ହେଉଥିବା ଲଢେଇ କୃତ୍ରିମ କି ? ଛତିଶଗଡ଼ରେ ବ୍ୟାରେଜ କ’ଣ କୃତ୍ରିମ ? ମୁଖ୍ୟମନ୍ତ୍ରୀଙ୍କ ଏ ସମ୍ପର୍କରେ ଆଲୋଚନା ବି କୃତ୍ରିମ ହୋଇଥିବ ବୋଲି ଅଭିଯୋଗ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ସରକାରକୁ ଆସିଲେ ମହାନଦୀ ସମସ୍ୟା ସମାଧାନ କରିବାକୁ କହିଥିଲା ବିଜେପି । ଯଦି ଟ୍ରିବ୍ୟୁନାଲ ଫାର୍ସ ତା’ହେଲେ ଭାରତରେ ଯେତେ ନଦୀ ଜଳ ବିବାଦର ଟ୍ରିବ୍ୟୁନାଲ ମାଧ୍ୟମରେ ଖର୍ଚ୍ଚ ହୋଇଛି ତା’ର ସମୀକ୍ଷା ଓ ତଦନ୍ତ ପାଇଁ ଦାବି କଲା ମହାନଦୀ ବଞ୍ଚାଅ ଆନ୍ଦୋଳନ । ତୁରନ୍ତ ଏ ସମ୍ପର୍କରେ ପଦକ୍ଷେପ ନିଆ ନଗଲେ ବ୍ୟାପକ ଆନ୍ଦୋଳନର ଚେତାବନୀ ଦିଆଯାଇଛି । ସେପଟେ ରାଜସ୍ବ ମନ୍ତ୍ରୀ କହିଛନ୍ତି ସରକାର ସବୁବେଳେ ଓଡ଼ିଶା ସ୍ବାର୍ଥ ପାଇଁ କାମ କରୁଛନ୍ତି ଓ ଛତିଶଗଡ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ ଦିଗରେ କାମ କରିବୁ ।
ହୀରାକୁଦରେ ବାର୍ଷିକ ୧୨.୨୮ ମିଲିୟନ ଏକର ଫୁଟ ପାଣି ଆବଶ୍ୟକ। ପୂର୍ବରୁ ଅକ୍ଟୋବରରୁ ଜୁନ ପର୍ଯ୍ୟନ୍ତ ୨ ମିଲିୟନ ଏକର ଫୁଟରୁ ଅଧିକ ପାଣି ପୂର୍ବରୁ ଆସୁଥିଲା । ଜଳସେଚନ, ବିଦ୍ୟୁତ ଉତ୍ପାଦନ ଓ ନଦୀର ପ୍ରବାହ ପାଇଁ ଜଳ ଆବଶ୍ୟକ । କିନ୍ତୁ ୨୦୧୬ରୁ ୨ ମିଲିୟନ ଏକର ଫୁଟ ବଦଳରେ ମାତ୍ର ଦଶମିକ ୪, ଦଶମିକ ୭ ସମେତ ୮ ମିଲିୟନ ଏକର ଫୁଟ ପାଣି ଆସୁଛି । ଛତିଶଗଡ଼ ପମ୍ପ ଲଗାଇ ପାୱାର ଇଣ୍ଡଷ୍ଟ୍ରି ଜଳ ନେଉଥିବା ଅଭିଯୋଗ ହେଉଥିଲା । ଯାହାକି କୋଭିଡ ସମୟରେ ସତ ବୋଲି ପ୍ରମାଣିତ ହୋଇଥିଲା । ତେଣୁ ଛତିଶଗଡ଼ର ମନମାନି ବିରୋଧରେ ଦୃଢ଼ ପଦକ୍ଷେପ ପାଇଁ ଦାବି ରଖିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ।