ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ନଭେମ୍ବର ୯ ଯାଏଁ ପଦଯାତ୍ରା ହେବ । ବିଜେଡି ସରକାର ଯେଉଁ ରୂପାନ୍ତର ଆଣିଥିଲା, ସେ ନେଇ ଆଲୋଚନା ହେବ

1 min read

ନନ୍ଦିଘୋଷ ବ୍ୟୁରୋ : ଅକ୍ଟୋବର ୯ରୁ ଆରମ୍ଭ ହେବ ବିଜେଡିର ଜନସଂପର୍କ ପଦଯାତ୍ରା। ମାସେ ଧରି ଚାଲିବ ଏହି ଅଭିଯାନ । ନଭେମ୍ବର ୯ ତାରିଖରେ ଶେଷ ହେବ। ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏକ ପ୍ରେସମିଟରେ ବରିଷ୍ଠ ବିଜେଡି ଉପସଭାପତି ଦେବୀ ମିଶ୍ର ଓ ବରିଷ୍ଠ ଉପସଭାପତି ପ୍ରମିଳା ମଲ୍ଲିକ କହିଛନ୍ତି, ଲୋକଙ୍କ ସମସ୍ୟା ସଂପର୍କରେ ଅବଗତ ହେବାକୁ ପ୍ରତିବର୍ଷ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜେଡି କରିଥାଏ ଜନସଂପର୍କ ପଦଯାତ୍ରା । ଏ ବର୍ଷ ପାର୍ବଣକୁ ଦୃଷ୍ଟିରେ ରଖି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ଜନସଂପର୍କ ପଦଯାତ୍ରା ଅକ୍ଟୋବର ୨ ବଦଳରେ ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ଆରମ୍ଭ ହେବ। ଅକ୍ଟୋବର ୨ରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇ ଜନ ସଂପର୍କ ପଦଯାତ୍ରାର ସଂକଳ୍ପ ନିଆଯିବ। ନଭେମ୍ଵର ୯ ରେ ଶେଷ ହେବ ପଦଯାତ୍ରା। ବିଜେଡିର ସବୁ ଛାମୁଆ  ସଂଗଠନ ଯୋଗ ଦେବେ। ଏହି ପଦଯାତ୍ରାରେ ଲୋକଙ୍କ ସମସ୍ୟା ନେଇ ଆଲୋଚନା ହେବ। ବିଜେପି ସରକାରର ବିଫଳତା ଓ ପ୍ରତାରଣା ସଂପର୍କରେ ଲୋକଙ୍କୁ ସଚେତନ କରାଯିବ। କେମିତି ସମସ୍ତ ପ୍ରତିଶୃତି ପ୍ରତାରଣାରେ ପରିଣତ ହୋଇଛି, ତାହା ଲୋକଙ୍କୁ ଅବଗତ କରାଯିବ। ପୂର୍ବର ନବୀନ ସରକାରଙ୍କ ଭଲ କାମ, ସଫଳତା ସଂପର୍କରେ ଲୋକଙ୍କୁ ଅବଗତ କରାଯିବ। ସେହିପରି ପ୍ରମିଳା ମଲ୍ଲିକ କହିଛନ୍ତି, ଓଡ଼ିଆ ଅସ୍ମିତା ଓ ପରିବର୍ତ୍ତନର ନାରା ଦେଇ ବିଜେପି କ୍ଷମତାକୁ ଆସିଥିଲା। କିନ୍ତୁ ପରିବର୍ତ୍ତନ ହୋଇଛି କେବଳ ରଙ୍ଗ ଓ ବିଭିନ୍ନ ଯୋଜନାର ନାଁ। ନିଶାମୁକ୍ତିର ନାରା ଦେଇ ଅଧିକ ମଦ ଦୋକାନ ଓ ମଦ ଫ୍ୟାକଟ୍ରି ଖୋଲୁଛନ୍ତି ସରକାର । ଏକ ବର୍ଷ ଅନୁଭୂତି ଅନେକ। ନିଶା, ନାରୀ ନିର୍ଯାତନା, ଚାଷୀ ଶୋଷଣର ଅନୁଭୂତି। ପଂଚାୟତ ପ୍ରତିନିଧିଙ୍କ କ୍ଷମତା ହ୍ରାସ କରି ଅଫିସରରାଜ୍ କରିବାକୁ ବିଡିଓ ଓ ଜିଲ୍ଲାପାଳଙ୍କୁ ଦେଇଛନ୍ତି ଅଧିକ କ୍ଷମତା। BSKY ପରିବର୍ତ୍ତନ କରି ରୋଗୀଙ୍କୁ ହଇରାଣ କରୁଛନ୍ତି। ସବୁ ମେଡିକାଲରେ ଡାକ୍ତର, ସବୁ ସ୍କୁଲରେ ଶିକ୍ଷକ, ନିଯୁକ୍ତି କଥା କହିଥିଲେ। ହେଲେ କଲେନି। ନବୀନ ସରକାରଙ୍କ କାମ ବନ୍ଦ କରିଛନ୍ତି। ଦୁଇ କୋଟି ଚାକିରି କଥା କହିଲେ, ଏବେ ପକୋଡ଼ି ବିକିବାକୁ ଚାକିରୀ କହୁଛନ୍ତି। କଳା ଧନର ମିଛ ସ୍ଲୋଗାନ ଦେଲା କେନ୍ଦ୍ର। ଏହାକୁ ଅନୁସରଣ କରୁଛନ୍ତି ରାଜ୍ୟ ବିଜେପି ନେତା। ଓଡ଼ିଶାର ସ୍ଵାର୍ଥ ପାଇଁ ୨୦ ସାଂସଦଙ୍କ ମୁହଁ ଦିଲ୍ଲୀରେ ଫିଟୁନି। GST କାଉନସିଲରେ ଓଡ଼ିଶା ପାଇଁ ମୁହଁ ଖୋଲିଲେନି। ବିଜୁ ପଟ୍ଟନାୟକ ମହିଳାମାନଙ୍କୁ ରାଜନୀତିକୁ ଆଣିବା ପାଇଁ 33% ସଂରକ୍ଷଣ କରିଥିଲେ। ନବୀନ ପଟ୍ଟନାୟକ ଏହାକୁ 50% କୁ ବୃଦ୍ଧି କରିଥିଲେ। ମିଶନ ଶକ୍ତି ବିଭାଗ ହେଲା। ଏଥିରେ ମହିଳାଙ୍କୁ ସଶକ୍ତ କରିବାକୁ କୃଷି ମିତ୍ର, ପ୍ରାଣୀମିତ୍ର, MBK, CRP କରାଯାଇଥିଲା। ବିଜେପି ସରକାର ଏହାକୁ ଭାଙ୍ଗୁଛନ୍ତି. ମିଶନ ଶକ୍ତି ବଜେଟ ସଂକୁଚିତ କଲେ। କିପରି MBK, CRP, EC ସଦସ୍ୟଙ୍କୁ ବିତାଡିତ କରିବେ, ସେ କାମ କରୁଛନ୍ତି ସରକାର। ନିଜ କୁଜି ନେତାଙ୍କୁ ରଖିବାକୁ ଯୋଜନା ହେଉଛି। କିନ୍ତୁ ବିଜେଡି ମିଶନ ଶକ୍ତି ସହ ଅଛି। ସରକାର ଷଡଯନ୍ତ୍ର ବନ୍ଦ ନ କଲେ, ମହିଳାମାନଙ୍କ ସହ ବିଜେଡି ଠିଆ ହୋଇ ଲଢେଇ କରିବ ବୋଲି ପ୍ରମିଳା ମଲ୍ଲିକ ଚେତାଇ ଦେଇଛନ୍ତି।