ବିଜୟଙ୍କ ବଡ଼ ଘୋଷଣା: ମୃତକଙ୍କ ପରିବାରଙ୍କୁ ୨୦ ଲକ୍ଷ, ଆହତଙ୍କୁ ମିଳିବ ୨ ଲକ୍ଷ

ନନ୍ଦିଘୋଷ ବ୍ୟୁରୋ :  ତାମିଲନାଡୁର କରୁରରେ ଶନିବାର ବିଜୟଙ୍କ ରାଲିରେ ଦଳାଚକଟା ହୋଇଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଏଥିରେ ଅତି କମରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୦୦ ରୁ ଅଧିକ ଆହତ ହୋଇଥିଲେ, ଯେଉଁମାନେ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଦଳାଚକଟା ଘଟଣା ପରେ ନିଜ ଆଡୁ ସହାୟତା ଘୋଷଣା କରିଛନ୍ତି ଅଭିନେତା ବିଜୟ। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ବିଜୟ। କରୁରଠାରେ ଘଟିଥିବା ଦଳାଚକଟା ଘଟଣାରେ ଯାଇଥିଲା ୩୯ ଲୋକଙ୍କ ଜୀବନ। ଏହା ସହ ଆହତଙ୍କୁ ୨ ଲକ୍ଷ ଲେଖାଏ ଟଙ୍କା ସହାୟତା ଘୋଷଣା କରିଛନ୍ତି ଅଭିନେତା। ଏହି ଘଟଣାରେ ପ୍ରାୟ ୧୦୦ ଲୋକ ଆହତ ହୋଇଥିଲେ। ମୃତାହତଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ବିଜୟ। ମୃତ ଆତ୍ମାର ସଦଗତି କାମନା ସେ କରିଛନ୍ତି ।

ଉଲ୍ଲେଖନୀୟ ଯେ ପୂର୍ବରୁ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କରୁର ଦଳାଚକଟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଘୋଷଣା କରିଥିଲେ, ଆହତମାନଙ୍କୁ ୧ ଲକ୍ଷ ଟଙ୍କା ମଧ୍ୟ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ମୋଦି ଏହି ଦୁର୍ଘଟଣାର ପ୍ରତ୍ୟେକ ପୀଡିତଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ ଆହତମାନଙ୍କୁ ୫୦,୦୦୦ ଟଙ୍କା ଦିଆଯିବ ।