ଆଜି ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ଆଜି କଳାହାଣଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଏନେଇ ଚଳଚଞ୍ଚଳ ହୋଇ ଉଠିଛି କଳାହାଣ୍ଡି । ଭବାନୀପାଟଣା ସହର ପଶ୍ଚିମ ଉପକଣ୍ଠରେ ଥିବା ଫାଶୀ ଡଙ୍ଗର ଜେନାଖାଲରେ ମାଣିକେଶ୍ୱରୀଙ୍କ ଗୁପ୍ତ ରୀତିନୀତିରେ ପୂଜାର୍ଚ୍ଚନା ସରିବା ପରେ ମନ୍ଦିର ଅଭିମୁଖେ ବାହାରିଛି ମା’ଙ୍କ ବିଜୟ ପ୍ରତିମା ଛତର ।

ରାସ୍ତାରେ ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିଛନ୍ତି । ଶାନ୍ତିର ପ୍ରତୀକ ଭାବେ ଶହଶହ ପାରାକୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ଦେଖିବାକୁ ମିଳିଛି । ଜେନା ବାଦ୍ୟ ଓ ବୀର ବାଦ୍ୟ ଘୁମୁରାର ତାଳେ ତାଳେ ମା’ଙ୍କୁ ପାଛୋଟି ନେଉଛନ୍ତି ଶ୍ରଦ୍ଧାଳୁ ।

ଯାତ୍ରାରେ ମାଣିକେଶ୍ବରୀଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ମା’ ମାଣିକେଶ୍ବରୀଙ୍କ ପାଖରେ ବଳି ଦିଆଯିବାର ଏକ ସ୍ବତନ୍ତ୍ର ପରମ୍ପରା ରହିଛି । ରୀତିନୀତି ଅନୁଯାୟୀ ହଜାର ହଜାର ବର୍ଷ ଧରି ଏହି ଯାତ୍ରାକୁ ପାଳନ କରିଆସୁଛନ୍ତି କଳାହାଣ୍ଡିବାସୀ । ସେପଟେ ମା’ଙ୍କ ବିଜୟ ପ୍ରତିମା ଛତର ବାହାରିବା ପରେ ପରେ ମାନସିକ ଧାରୀଙ୍କ ବୋଦା, କୁକୁଡ଼ା ଆଦି ବଳି ଦେବା  ଆରମ୍ଭ ହୋଇଛି ।