ପାକିସ୍ତାନର କ୍ୱେଟା ସ୍ଥିତ ସେନା ମୁଖ୍ୟାଳୟ ନିକଟରେ ଆତ୍ମଘାତି ବିସ୍ଫୋରଣ; ୧୦ ମୃତ, ୩୨ରୁଅଧିକ ଆହତ

1 min read

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ବେଲୁଚିସ୍ତାନ କ୍ବେଟା ସ୍ଥିତ ସେନା ମୁଖ୍ୟାଳୟ ନିକଟରେ ଆତ୍ମଘାତି ବିସ୍ଫୋରଣ । ପୂର୍ବ କ୍ବେଟାର ପ୍ରଣ୍ଟିୟର କ୍ରପ୍ସ ମୁଖ୍ୟାଳୟ ପାଖରେ ଏହି ବିସ୍ଫୋଣ ଘଟିଛି । ବିସ୍ଫୋରଣ ପରେ ପରେ ଅନ୍ଧାଧୁନ ଗୁଳିମାଡ଼ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖରେ ଥିବା ଘରର ଝରକା କାଚ ଭାଙ୍ଗି ଯାଇଥିଲା ।  ପାକିସ୍ତାନ ନ୍ୟୁଜ୍ ଓ୍ବେବସାଇଟ ଡନ ରିପୋର୍ଟ ଅନୁସାରେ ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି ।

ବେଲୁଚିସ୍ତାନ ସ୍ବାସ୍ଥ୍ୟମନ୍ତ୍ରୀ ବଖ୍ତ ମହମ୍ମଦ କାକର ଓ ସ୍ବାସ୍ଥ୍ୟ ସଚିବ ମୁଜିବ ଉର ରହମାନ ସିବିଲ କ୍ବେଟା ହସ୍ପିଟାଲ, ବିଏମସି ହସ୍ପିଟାଲ ଓ ଟ୍ରୋମା ସେଣ୍ଟରକୁ ଜରୁରୀକାଳିନ ସ୍ଥିତି ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରିପୋର୍ଟ ଅନୁସାରେ ବିସ୍ଫୋରଣ ପରେ ସହରରେ ଧାଁଦୌଡ଼ ଆରମ୍ଭ ହୋଇଯାଇଥିଲା । ବିସ୍ଫୋରଣ ପରେ ପରେ ଅଞ୍ଚଳରେ ଗୁଳି ମାଡ଼ର ଶବ୍ଦ ବି ଶୁଣିବାକୁ ମିଳିଥିଲା । ଯିଏ ଯୁଆଡ଼େ ପାରିଲା ନିଜକୁ ବଞ୍ଚାଇବାକୁ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ । ବିସ୍ଫୋରଣ ପରେ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା ।

ତେବେ ଏହି ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇପାରିନି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି । ସୁରକ୍ଷାକର୍ମୀ ପୂରା ଅଞ୍ଚଳକୁ କଡନ କରି କମ୍ବି ଅପରେସନ ଆରମ୍ଭ କରିଛନ୍ତି । ସେହିପରି ବିସ୍ଫୋରଣ ସମୟର ସିସିଟିଭି ଫୁଟେଜ ସୁରକ୍ଷାକର୍ମୀଙ୍କ ହାତରେ ଲାଗିଛି ।

ସୂଚନାଯୋଗ୍ୟ, କ୍ବେଟା ବେଲୁଚିସ୍ତାନ ପ୍ରାନ୍ତର ରାଜଧାନୀ ଅଟେ । ଆଉ ଏହା ଚରମପନ୍ଥିଙ୍କ ହିଂସାକାଣ୍ଡର ପ୍ରମୁଖ ସ୍ଥାନ ରହିଆସିଛି । ଏଠାରେ ଏମିତି ଘଟଣା ତିନିଦିନିଆ । ଏଥିରେ ଲସ୍କର ଏ ଝାଙ୍ଗବି (LeJ) ଓ ଇସ୍ଲାମିକ ଷ୍ଟେଟ ଖୋରାସାନ ପ୍ରୋବିନ୍ସ (ISKP) ନାଁ ଆସୁଛି । ଏହାବାଦ ତହରିକ ଏ ତାଲିବାନ ପାକିସ୍ତାନ (TTP) ମଧ୍ୟ ଏହି ଅଞ୍ଚଳରେ ସକ୍ରିୟ ରହିଛି । ନିକଟରେ ବେଲୁଚ ବିଦ୍ରୋହୀଙ୍କ ଆକ୍ରମଣ ବି ଅଞ୍ଚଳରେ ନିତିଦିନିଆ ଘଟଣା ହୋଇଯାଇଛି ।