ଆଜି ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ; ଜନସମ୍ପର୍କ ପଦଯାତ୍ରା ପାଇଁ ସଙ୍କଳ୍ପ ନେବ ବିଜେଡି

ଭୁବନେଶ୍ବର : ଆଜି ଅକ୍ଟୋବର ଦୁଇ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ । ଜନ ସମ୍ପର୍କ ପଦଯାତ୍ରା ପାଇଁ ସଙ୍କଳ୍ପ ନେବ ବିଜେଡି । ସରକାରଙ୍କ ବିଫଳତା ବିରୋଧରେ ଜନସଚେତନତା ସୃଷ୍ଟି କରିବ । ହେଲେ ପାର୍ବଣ ଥିବାରୁ ପର୍ବପର୍ବାଣୀ ଦିନ ପଦଯାତ୍ରା କରିବନି ବିଜେଡି । ଆଜି ସାର୍ବଜନୀନ ଦଶହରା ପଡ଼ୁଥିବାରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ପାଇଁ ସଂକଳ୍ପ ନିଆଯିବ । ଏହାପରେ ଅକ୍ଟୋବର ୯ ତାରିଖ ଗୋପବନ୍ଧୁ ଜୟନ୍ତୀରୁ ପଦଯାତ୍ରା କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ମାସେ ଧରି ଚାଲିବ । ପଦଯାତ୍ରା ଜରିଆରେ ଜନସାଧାରଣଙ୍କ ସହ ସମ୍ପର୍କ ସ୍ଥାପନ ସହିତ ଗତ ୧୫ ମାସର ବିଜେପି ସରକାରଙ୍କ ବିଫଳତାକୁ ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଯିବ ବିଜୁ ଜନତା ଦଳ ।
ବିଜେପି ସରକାରକୁ ଆସିବା ପରେ ସବୁ କଥାରେ ଗତ ସରକାରକୁ ଦାୟୀ କରି ଆସୁଥିଲା ବିଜେପି । ହେଲେ ଏହି ୧୫ ମାସ ଭିତରେ ମାଳମାଳ ଅଭିଯୋଗରେ ଛନ୍ଦି ହୋଇ ଯାଇଛନ୍ତି ସରକାର । ଯେଉଁଥିପାଇଁ ସକ୍ରିୟ ବିରୋଧୀ ଦଳ ଭାବେ ସରକାରଙ୍କ ବିରୋଧରେ ସ୍ବର ଶାଣିତ କରିଛି ବିଜେଡି । ବିଜେପି ଶାସନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ମହିଳାମାନେ ନିଜକୁ ଅସୁରକ୍ଷିତ ମନୁଛନ୍ତି । ସେହିପରି ଅଭିଶାପ ପାଲଟିଲାଣି ଆୟୁଷ୍ମାନ ।
ସାର ଅଭାବ ଯୋଗୁଁ ଚାଷୀ ହନ୍ତସନ୍ତ । ମଦମୁକ୍ତ ଓ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ପ୍ରତିଶୃତି ଦେଇଥିବା ବିଜେପି ସରକାର ବନ୍ଦ ଥିବା ୭୦ଟି ନୂଆ ମଦ ଦୋକାନ ଓ ଦୁଇଟି ମଦ କାରଖାନା ଖୋଲି ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି । ପଞ୍ଚାୟତ ସ୍ତରରେ ନିର୍ବାଚିତ ପ୍ରତିନିଧି ମାନଙ୍କ କ୍ଷମତାକୁ ସଙ୍କୁଚିତ କରି ସରକାର ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ଘର ଘର ବୁଲି ଏ ସବୁ ପ୍ରସଙ୍ଗକୁ ନେଇ ବିଜେଡି ରାଜ୍ୟ ବିଜେପି ସରକାରଙ୍କୁ ପଦଯାତ୍ରା ମାଧ୍ୟମରେ ଘେରିବ । ସେପଟେ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନରେ ଓଡ଼ିଶା ଯେଉଁ ବିକାଶର ଶୀର୍ଷରେ ପହଞ୍ଚିଥିଲା, ତାକୁ ବିଜେପି ସରକାରଙ୍କ ବିଫଳତା ସହ ତୁଳନା କରି ଲୋକଙ୍କୁ ପଦଯାତ୍ରାରେ ସଚେତନ କରିବ ବିଜେଡି ।