ମଧ୍ୟପ୍ରଦେଶରେ ଚାଞ୍ଚଲ୍ୟ : ସରକାରୀ ଚାକିରି ବଞ୍ଚାଇବାକୁ ଚତୁର୍ଥ ସନ୍ତାନକୁ ବଣରେ ଛାଡି ଚାଲିଗଲେ ଦମ୍ପତି

1 min read

ନନ୍ଦିଘୋଷ ବ୍ୟୁରୋ : ଚାକିରି ବଞ୍ଚାଇବା ପାଇଁ ସୈତାନ ସାଜିଲେ ବାପା ମାଆ । ନବଜାତ ଶିଶୁକୁ ଜଙ୍ଗଲରେ ଛାଡି ଚାଲିଗଲେ ଦମ୍ପତି । ସରକାରୀ ଚାକିରି ଚାଲିଯିବା ଭୟରେ ଚତୁର୍ଥ ସନ୍ତାନକୁ ଜଙ୍ଗଲରେ ପଥର ତଳେ ଛାଡି ଚାଲି ଚାଲିଗଲେ ଶିକ୍ଷକ ଦମ୍ପତି। ମଧ୍ୟପ୍ରଦେଶର ଛିନ୍ଦୱାଡ଼ାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସରକାରୀ ନିୟମରେ ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ଉପରେ କଟକଣା ଥିବା ଯୋଗୁଁ  ଚାକିରି ହରାଇବା ଭୟରେ ବୁଲୁ ଦଣ୍ଡୋଲିୟା ଓ ପତ୍ନୀ ରାଜକୁମାରୀ ଗର୍ଭଧାରଣ ଖବର ଗୁପ୍ତ ରଖିଥିଲେ। ୨୩ ସେପ୍ଟେମ୍ବର ଘରେ ପିଲା ଜନ୍ମ ପରେ କେବଳ କିଛି ଘଣ୍ଟା ମଧ୍ୟରେ ଶିଶୁକୁ ଜଙ୍ଗଲରେ ଛାଡ଼ି ଆସିଥିଲେ।

ବର୍ଷା ଦିନର ରାତିରେ ଶିଶୁଟିକୁ ଦମ୍ପତି ଛାଡି ଆସିବା ପରେ ମଧ୍ୟ ସେ ୩ ଦିନ ବଞ୍ଚି ଯାଇଥିଲା। ଗ୍ରାମବାସୀମାନେ କାନ୍ଦ ଶୁଣି ଶିଶୁଟିକୁ ଉଦ୍ଧାର କରିଥିଲେ। ଥଣ୍ଡାରେ କମ୍ପୁଥିବା ରକ୍ତାକ୍ତ ଶିଶୁକୁ ଉଦ୍ଧାର କରିଥିଲେ ଗ୍ରାମବାସୀ। ସଙ୍ଗେ ସଙ୍ଗେ ଛିନ୍ଦୱାଡ଼ା ଜିଲ୍ଲା ହସ୍ପିଟାଲରେ ଡାକ୍ତର ଶିଶୁଟିକୁ ଭର୍ତ୍ତି କରିଥିଲେ । ଶିଶୁଟିକୁ ପିମ୍ପୁଡ଼ି କାମୁଡ଼ିଥିବା  ଏବଂ ହାଇପୋଥର୍ମିଆର ଲକ୍ଷଣ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଏପରି ପରିସ୍ଥିତିରେ ଶିଶୁଟି ବଞ୍ଚିବା ଏକ ଚମତ୍କାର ବୋଲି ଡାକ୍ତର କହିଛନ୍ତି । ବର୍ତ୍ତମାନ ଶିଶୁଟି ସୁରକ୍ଷିତ ଥିବାବେଳେ ଚିକିତ୍ସା ଜାରି ରହିଛି ।

ତେବେ ପୋଲିସ ଭାରତୀୟ ନ୍ୟାୟ ସଂହିତାର ବିଏନ୍‌ଏସ୍ ଧାରା ୯୩ ଅଧୀନରେ ମାମଲା ରୁଜୁ କରିଛି। ଏସ୍‌ଡିଓପି କାଲ୍ୟାଣୀ ବର୍କଡ଼େ କହିଛନ୍ତି, “ଆମେ ଉପରିସଟି ଅଧିକାରୀଙ୍କୁ ପରାମର୍ଶ ଦେଉଛୁ। ଧାରା ୧୦୯ ହତ୍ୟା ପ୍ରୟାସ ସମେତ ଅନ୍ୟ ଧାରା ଯୋଡ଼ାଯାଇପାରେ।” ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ତଥ୍ୟ ଅନୁଯାୟୀ, ଭାରତରେ ପରିତ୍ୟକ୍ତ ନବଜାତ ଶିଶୁଙ୍କ ସଂଖ୍ୟା ମଧ୍ୟପ୍ରଦେଶରେ ସର୍ବାଧିକ। ଦାରିଦ୍ର୍ୟ, ସାମାଜିକ କଳଙ୍କ ଏବଂ ପ୍ରତିଗାମୀ ଚାକିରି ସମ୍ପର୍କିତ ଭୟରେ ଏପରି ଅନେକ ଘଟଣା ସାମ୍ନାକୁ ଆସୁଛି।