ଜୁବୀନ ଗର୍ଗଙ୍କ ମୃତ୍ୟୁର ନୂଆ ମୋଡ : ମ୍ୟାନେଜର ଦେଇଥିଲେ ବିଷ !

1 min read

ନନ୍ଦିଘୋଷ ବ୍ୟୁରୋ : ଆସାମର ଗର୍ବ ଏବଂ ଭାରତର ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ । ତାଙ୍କ ମୃତ୍ୟୁ ପରେ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କରାଯାଇଥିବାବେଳେ, ଏହି ମାମଲାରେ ପ୍ରତିଦିନ ଆଶ୍ଚର୍ଯ୍ୟଜନକ ଖୁଲାସା ହେଉଛି। ନିକଟରେ, ତାଙ୍କ ମ୍ୟୁଜିକ ବ୍ୟାଣ୍ଡର ଜଣେ ସଦସ୍ୟଙ୍କ ବୟାନ ପରେ  SITକୁ ଜୁବିନଙ୍କ ମୃତ୍ୟୁ ଏକ ଦୁର୍ଘଟଣା ନୁହେଁ ବରଂ ଏକ ହତ୍ୟା ବୋଲି ପ୍ରମାଣିତ କରିବାକୁ ବାଧ୍ୟ କରାଯାଇଛି ।

ସେପ୍ଟେମ୍ବର ୧୯ ତାରିଖରେ ସିଙ୍ଗାପୁରର ଲାଜାରୁସ୍ ଦ୍ୱୀପ ନିକଟରେ ପ୍ରସିଦ୍ଧ ଭାରତୀୟ ଗାୟକ ଜୁବିନ୍ ଗର୍ଗଙ୍କ ରହସ୍ୟମୟ ମୃତ୍ୟୁ ତାଙ୍କ ପ୍ରଶଂସକ ଓ ସମଗ୍ର ସଙ୍ଗୀତ ଶିଳ୍ପକୁ ଶୋକରେ ପକାଇ ଦେଇଛି। ଏହି ରହସ୍ୟମୟ ମୃତ୍ୟୁ ମାମଲା ଏବେ ଏକ ଭୟଙ୍କର ମୋଡ଼ରେ ପହଞ୍ଚିଛି। ଅକ୍ଟୋବର ୧ ତାରିଖରେ, ତାଙ୍କ ଦୀର୍ଘକାଳୀନ ପରିଚାଳକ ସିଦ୍ଧାର୍ଥ ଶର୍ମାଙ୍କୁ ଅପରାଧିକ ଷଡ଼ଯନ୍ତ୍ର ଏବଂ ହତ୍ୟା ଅଭିଯୋଗରେ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗିରଫ କରିଥିଲା। ଜଣେ ସାକ୍ଷୀଙ୍କ ବୟାନ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଯେ ଜୁବିନ୍‌ଙ୍କୁ ବିଷ ଦିଆଯାଇଛି  ।

ଉତ୍ତର-ପୂର୍ବ ଭାରତ ମହୋତ୍ସବର ଚତୁର୍ଥ ସଂସ୍କରଣ ସମୟରେ ସିଙ୍ଗାପୁରର ଲାଜାରୁସ୍ ଦ୍ୱୀପରେ ଏକ ୟାଟ୍ ଯାତ୍ରା ସମୟରେ ସେପ୍ଟେମ୍ବର ୧୯ ତାରିଖରେ ୫୨ ବର୍ଷୀୟ ଜୁବୀନ୍ ଗର୍ଗଙ୍କ ମୃତ୍ୟୁ ହୋଇଥିଲା। ପ୍ରାରମ୍ଭିକ ରିପୋର୍ଟରେ ବୁଡ଼ି ଯାଇ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା । ହେଲେ ଏକ ରିପୋର୍ଟ ଅନୁଯାୟୀ, ସ୍ୱତନ୍ତ୍ର ତଦନ୍ତ ଦଳ (SIT) କୋର୍ଟରେ ଉପସ୍ଥାପିତ ରିମାଣ୍ଡ ନୋଟ୍ ଭିନ୍ନ କଥା ସୂଚାଇ ଦେଉଛି।

ସ୍ୱତନ୍ତ୍ର ତଦନ୍ତ ଦଳକୁ ଦେଇଥିବା ତାଙ୍କ ବୟାନରେ, ଜୁବୀନ ଗର୍ଗଙ୍କ ଘନିଷ୍ଠ ବନ୍ଧୁ ଶେଖର ଜ୍ୟୋତି ଗୋସ୍ୱାମୀ ଅଭିଯୋଗ କରିଛନ୍ତି ଯେ ପରିଚାଳକ ସିଦ୍ଧାର୍ଥ ଶର୍ମା ଓ ମହୋତ୍ସବ ଆୟୋଜକ ଶ୍ୟାମକାନୁ ମହନ୍ତ , ଜୁବୀନଙ୍କୁ ବିଷ ଦେଇଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ସଙ୍ଗରଙ୍କ ପରିଚାଳକ ତାଙ୍କୁ ୟାଟର କୌଣସି ଭିଡିଓ କାହା ସହିତ ସେୟାର ନକରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ, ସେ ଜୋରଜବରଦସ୍ତି ୟାଟର ନିୟନ୍ତ୍ରଣ ନି ହାତକୁ ନେଇଥିଲେ ।

ଶେଖର  ଦାବି କରିଛନ୍ତି ଯେ ଜୁବୀନ୍‌ଙ୍କୁ ପହଁର ଜଣାଥିଲା ।  ସେ ଶର୍ମା ଓ  ତାଙ୍କ ସାଥିଙ୍କୁ ବ୍ୟକ୍ତିଗତ ଭାବରେ ତାଲିମ ଦେଇଥିଲେ। ତେଣୁ, ଦୁର୍ଘଟଣାଜନିତ ବୁଡ଼ିଯିବା ପ୍ରାୟତଃ ଅସମ୍ଭବ। ଜୁବୀନ୍‌ଙ୍କ ଶେଷ ମୁହୂର୍ତ୍ତରେ ସେ ନିଶ୍ୱାସ ନେବାକୁ କଷ୍ଟ ଅନୁଭବ କରୁଥିଲେ ଏବଂ ତାଙ୍କ ମୁହଁ ଓ ନାକରୁ ଫେଣ ମଧ୍ୟ ବାହାରୁଥିଲା ।