ଆଜି ସରୁଛି ଟ୍ରମ୍ପ ଦେଇଥିବା ଡେଡଲାଇନ, ମୁକୁଳିପାରନ୍ତି ଦୀର୍ଘ ୨ ବର୍ଷ ଧରି ରହିଥିବା ପଣବନ୍ଦୀ !

1 min read

ନନ୍ଦିଘୋଷ ବ୍ୟୁରୋ : ଆଜି ସରୁଛି ହମାସକୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଦେଇଥିବା ଡେଡଲାଇନ। ମୁକୁଳିପାରନ୍ତି ଦୀର୍ଘ ୨ ବର୍ଷ ଧରି ରହିଥିବା ପଣବନ୍ଦୀ। ପୂର୍ବରୁ ହମାସକୁ ଶାନ୍ତି ନେଇ ଏକ ୨୦-ସୂତ୍ରୀ ପ୍ରସ୍ତାବର ରୂପରେଖ ଦେଇଥିଲେ ଟ୍ରମ୍ପ। ଇସ୍ରାଏଲ ସହିତ ଏକ ଶାନ୍ତି ଚୁକ୍ତି ନକଲେ ପରିଣାମ ଭୟାବହ ହେବ ବୋଲି ଚେତାବନୀ ଦେଇଥିଲେ ଟ୍ରମ୍ପ। ଦୁଇ ବର୍ଷ ଧରି ଚାଲିଥିବା ଗାଜା ଯୁଦ୍ଧର ଅନ୍ତ ପାଇଁ ଇସ୍ରାଏଲ ଏବଂ ହମାସ ଉଭୟଙ୍କୁ ଏକ ଶାନ୍ତି ଚୁକ୍ତିରେ ସହମତ ଲାଗି ଚାପ ପକାଇଥିଲେ ଟ୍ରମ୍ପ।

ହ୍ୱାଇଟ୍ ହାଉସ୍ ଏହି ୨୦ ସୂତ୍ରୀ ପ୍ରସ୍ତାବକୁ ପ୍ରକାଶ କରିଥିଲା। ଏହାକୁ ସଂଘର୍ଷର ଅନ୍ତ ଏବଂ ଗାଜାର ଭବିଷ୍ୟତ ଗଠନ ପାଇଁ ଏକ ରୋଡମ୍ୟାପ୍ ଭାବରେ ବର୍ଣ୍ଣନା କରିଥିଲା ହ୍ଵାଇଟ ହାଉସ। ପୁଣିଥରେ ଶାନ୍ତି ପ୍ରସ୍ତାବ କଥା ଦୋହରାଇ ବିଶ୍ଵର ୭ଟି ସ୍ଥାନରେ ଯୁଦ୍ଧ ବନ୍ଦ କରିଛି ବୋଲି କହିଥିଲେ ଟ୍ରମ୍ପ। ଯଦି ଏହି ଚୁକ୍ତି ନହୁଏ ତେବେ ହମାସର ପରିମାଣ ଭୟାବହ ହେବ। ଯାହା ପୂର୍ବରୁ କେହି କେବେ ଦେଖି ନାହାଁନ୍ତି ବୋଲି କହିଥିଲେ ଟ୍ରମ୍ପ।

କ’ଣ ଥିଲା ଟ୍ରମ୍ପଙ୍କ ୨୦ ସୂତ୍ରୀ ପ୍ରସ୍ତାବ ?

ଗାଜାକୁ ଆତଙ୍କବାଦମୁକ୍ତ ଅଞ୍ଚଳ ଘୋଷଣା, ଏହା ଅନ୍ୟ ପଡ଼ୋଶୀ ରାଷ୍ଟ୍ର ପ୍ରତି ବିପଦ ନହେବା, ଗାଜାବାସୀଙ୍କ ବିକାଶକୁ ଫୋକସ କରାଯିବ, ଅବିଳମ୍ବେ ଇସ୍ରାଏଲ ଓ ଗାଜା ଯୁଦ୍ଧ ବନ୍ଦ କରିବା, ଗାଜାରୁ ଇସ୍ରାଏଲ ବାହିନୀ ହଟିବେ। ସେହିପରି ସମସ୍ତ ପଣବନ୍ଦୀଙ୍କୁ ଜୀବିତ ଖଲାସ, ଯେଉଁ ହମାସ କର୍ମୀ ଅସ୍ତ୍ରଶସ୍ତ୍ର ତ୍ୟାଗ କରିବେ ସେମାନଙ୍କୁ କ୍ଷମା, ନିରାପଦରେ ଗାଜା ଛାଡ଼ିବାକୁ ହମାସ କର୍ମୀଙ୍କୁ ଅନୁମତି ଆଦି ଅନ୍ତର୍ଭୁକ୍ତ। ରାଜିନାମା କାର୍ଯ୍ଯକାରୀ ହେଲେ ଗାଜା ଷ୍ଟ୍ରିପକୁ ସହାୟତା ପ୍ରେରଣ, ଗାଜାରେ ହସ୍ପିଟାଲ ସମେତ ଭିତ୍ତିଭୂମି ପ୍ରତିଷ୍ଠା, ଜାତିସଂଘ ଜରିଆରେ ସହାୟତା ବଣ୍ଟନ, ଅସ୍ଥାୟୀ ସରକାର ଗଠନ ଅଧୀନରେ ଗାଜାକୁ ପରିଚାଳନା, ଏକ ସ୍ବତନ୍ତ୍ର ଅର୍ଥନୈତିକ ଜୋନ ପ୍ରତିଷ୍ଠା, କାହାକୁ ବଳପୂର୍ବକ ଗାଜା ଛାଡ଼ିବାକୁ ଚାପ ନପକାଇବା, ଆଞ୍ଚଳିକ ସହଯୋଗୀମାନଙ୍କୁ ନିରାପତ୍ତା ଯୋଗାଇବା, ଆରବ ଓ ଅନ୍ତର୍ଜାତୀଯ ସହଯୋଗୀଙ୍କ ସହ ମିଶି ଆମେରିକା ଏକ ଅସ୍ଥାୟ ଅନ୍ତର୍ଜାତୀୟ ସ୍ଥିରତ ବାହିନୀ ବା ଆଇଏସଏଫ ଗଠନ କରିବା, ସହନଶୀଳତା ଲାଗି ପଦକ୍ଷେପ ନେବା, ଶାନ୍ତି ପ୍ରତିଷ୍ଠା ଲାଗି ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ଯରେ ଆମେରିକା କଥାବାର୍ତ୍ତା କରିବା ଆଦି ପ୍ରସ୍ତାବ ରହିଛି।