ମୌକା ଦେଖି ଚୌକା ମାରିଲେ ବିହାରୀ କଏଦୀ: ଜଳକା ହୋଇ ରହିଗଲେ ସୁପରିଟେଣ୍ଡେଣ୍ଟ ଓ ଜେଲର୍

ମୌକା ଦେଖି ଚୌକା ମାରିଲେ ବିହାରୀ କଏଦୀ । ଜଳକା ହୋଇ ରହିଗଲେ ସୁପରିଟେଣ୍ଡେଣ୍ଟ ଓ ଜେଲର୍ । କଟକରେ ଦଶହରା ମେଢ଼ ବୁଲିଥିଲେ ଏସ୍କେପ ପ୍ରିଜନର । ପ୍ରି ପ୍ଲାନ୍ ମୁତାବକ ବନ୍ଦ ଥିଲା ସିସିଟିଭି, ହୁଗୁଳା ହୋଇଥିଲା ତଲାସୀ । ଜେଲ୍ ମାନୁଆଲର ଖୁଲମଖୁଲା ଉଡିଲା ଧଜ୍ଜିଆ । କଡା ସୁରକ୍ଷା ବଳୟ । ସବୁଠାରୁ ସୁରକ୍ଷିତ ଜେଲ । ପେଶାଦାର, ହତ୍ୟାକାରୀ, ଗଣ ଦୁଷ୍କର୍ମୀ, ଚିଟଫଣ୍ଡ ଠକଙ୍କ ଭଳି ଜଘନ୍ୟ ଅପରାଧୀଙ୍କୁ ଚୌଦ୍ୱାର ସର୍କଲ ଜେଲରେ ରଖାଯାଏ । ଆଉ ଏମାନଙ୍କ ମଧ୍ୟରେ ଯେଉଁମାନେ ଅତି ଦୁର୍ଦ୍ଦାନ୍ତ ସେମାନଙ୍କୁ ୱାର୍ଡରେ ନରଖି ସେଲ୍ ରେ ରଖାଯାଏ । ଏହି କଡା ସୁରକ୍ଷାକୁ ବାଏଁ ବାଏଁ ଉଡାଇ ଛୋଟିଆ ଆରୀ ସାହାଯ୍ୟରେ ଛୁ ମାରିଛାନ୍ତି କିଲର୍ ମଧୁକାନ୍ତ ରଣା ଓ ରାଜା ସାହାଣୀ । କମ୍ବଳ ଓ ଗାମୁଛା ସାହାଯ୍ୟରେ ରଶି ବନାଇ ଚମ୍ପଟ ମାରିଛନ୍ତି ଏହି ୨ ହାର୍ଡକୋର । ବାହାରକୁ ବାହାରିବା ପରେ ଚୌଦ୍ୱାର ଚାରିବାଟିଆ ଛକରେ ଅପରାଧୀମାନେ ଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ତେବେ ପାଣିକୋଇଲି ଠାରେ ସୁନା ଦୋକାନ ଲୁଟିବା ବେଳେ ମଣିଷ ମାରିବାକୁ ତିଳେ ମାତ୍ର ପଛାଇ ନଥିବା ଏହି ହାର୍ଡକୋର କ୍ରିମିନାଲ, ଆଗକୁ ଆଉ କିଛି ବଡ଼ ଧରଣର ଅଘଟଣ ଘଟାଇପାରନ୍ତି ବୋଲି ବଢିଛି ସନ୍ଦେହ ।
ମିଳିଥିବା ତଥ୍ୟ ଯେତିକି ଭୟଙ୍କର, ସେତିକି ଉଦବେଗଜନକ । ବାରମ୍ବାର ୱାର୍ଡରଙ୍କ ଅଭିଯୋଗ ପରେ ମଧ୍ୟ ଦୁଇ ହାର୍ଡକୋର ମଧୁ ଓ ରାଜାଙ୍କୁ ଏକାଠି ରଖାଯାଇଥିଲା । ଦୁଇ ହାର୍ଡକୋର ଫେରାର ହେବା ପୂର୍ବରୁ ତାଙ୍କୁ କଟକ ପୂଜା ବୁଲାଯାଇଥିଲା । ଅଫିସର ଜେଲରୁ ଚାଲିଯିବା ପରେ ସିସିଟିଭି ଠିକ ଭାବେ କାମ କରୁନଥିଲା । ଭଲକରି ନଜର ପକାନ୍ତୁ ଏହି ଜେଲ ମାନୁଆଲ ଉପରେ । ତଦନ୍ତ ସମୟରେ ଜଣାପଡିଛି ଯେ, ସେଲରେ ତଲାସୀ ସମୟରେ ନିଜେ ଜେଲର ଉପସ୍ଥିତ ରହୁନଥିଲେ । ଯଦି ରହୁଥାନ୍ତେ, ତେବେ ସେଲ ଭିତରୁ ଲଗାତାର ଭାବେ ଆଣ୍ଡ୍ରଏଡ ଫୋନ, ଚାର୍ଜର, ପାୱାର ବ୍ୟାଙ୍କ ମିଳୁନଥାନ୍ତା । ସେପଟେ ଜେଲ ଅଧିକାରୀଙ୍କ ଅପାରଗତା ପାଇଁ ହରଡ଼ଘଣାରେ ପଡିଛି ପୋଲିସ । ଟୁଇନ ସିଟିର ଆଇନଶୃଙ୍ଖଳା ପରିସ୍ଥିତି ଭିତରେ ମଧ୍ୟ ଜେଲ କେସରେ ୩ ଟି ସ୍ପେଶାଲ ଟିମ ଗଠନ ହୋଇଛି । ବିହାର ଓ ଝାଡଖଣ୍ଡରେ ଚଢ଼ାଉ ଚାଲିଛି । ପୁରସ୍କାର ରାଶି ମଧ୍ୟ ଘୋଷଣା ହୋଇଛି । ଜେଲକୁ କାଳ କୋଠରୀ ନୁହେଁ ବରଂ ସୁଧାର ଗୃହ କରି ଗଢି ତୋଳିବା ପାଇଁ ପୂର୍ବ ସରକାର ସମୟରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ଓ ଉପଲବ୍ଧି ମଧ୍ୟ ମିଳିଥିଲା । କିନ୍ତୁ ଏବେ ବିଭାଗୀୟ ଅପାରଗତା ପାଇଁ ଏସବୁରେ ଦେଖାଯାଇଛି ବ୍ୟତିକ୍ରମ ।