ପୋଲିସ ନିକଟରେ ଆତ୍ମସମର୍ପଣ କଲେ ତିନି ଟପ୍ ମାଓବାଦୀ

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ ଗରିଆବନ୍ଦ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ତିନି ଟପ୍ ମାଓବାଦୀ । ଗରିଆବନ୍ଦ,ଧମତାରି ଓ ନୂଆପଡା ଡିଭିଜନର ସକ୍ରିୟ ତିନି ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ରାଜ୍ୟର ନକ୍ସଲ ନିପାତ ଅଭିଯାନ ଯୋଗୁ ଏବେ ଛତିଶଗଡ଼ ଅଞ୍ଚଳରେ ସକ୍ରିୟ ନକ୍ସଲଙ୍କ ସଂଖ୍ୟା କମି କମି ପ୍ରାୟ ୩୦ରେ ପହଞ୍ଚିଛି। ବର୍ତ୍ତମାନ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରେ ନାଗେଶ ଏକ ଦେଶୀ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହିତ ଦୁଇ ମହିଳା ନକ୍ସଲ ଜୈନି ଏବଂ ମାନିଲା ମଧ୍ୟ ଆତ୍ମ ସମର୍ପଣ କରିଥିବା ଗାରିଆବନ୍ଦ ଏସପି ନିଖିଲ ରାଖେଚା ସୂଚନା ଦେଇଛନ୍ତି । ଆତ୍ମ ସମର୍ପଣ କରିଥିବା ପ୍ରତ୍ୟେକ ନକ୍ସଲଙ୍କ ପାଇଁ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା । ଏହି ତିନି ନକ୍ସଲ ଗତ ୫ ରୁ ୮ ବର୍ଷ ଧରି ଛତିଶଗଡ଼ ଅଞ୍ଚଳରେ ସକ୍ରିୟ ଥିଲେ । ଅନେକ ବଡ଼ ବଡ଼ ମାଓ ଘଟଣାରେ ଜଡିତ ଥିବା ସହିତ ସେମାନେ ବରିଷ୍ଠ ନକ୍ସଲ ନେତାଙ୍କ ନିକଟତର ସହଯୋଗୀ ଭାବରେ କାର୍ଯ୍ୟ କରିଆସୁଥିଲେ। ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଅନୁଯାଇ ତିନି ନକ୍ସଲ ଆତ୍ମସମର୍ପଣ କରିବା ଘଟଣାକୁ ନକ୍ସଲ ନିପାତ ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବରେ ପ୍ରଶାସନ ବର୍ଣ୍ଣନା କରିଛି।