ନେଟଓ୍ବର୍କ ପାଇଁ ନାକେଦମ, କିଏ ପାହାଡ଼ ଉପରେ ଚଢ଼ିଲାଣି ତ କିଏ ଜଙ୍ଗଲ ଭିତରେ ପଶିଲାଣି

ନନ୍ଦିଘୋଷ ବ୍ୟୁରୋ: ଅଙ୍ଗନବାଡ଼ିରୁ ଶିଶୁଙ୍କ ପୋଷଣ ସାମଗ୍ରୀ ନେବାକୁ ହେଲେ ଜଙ୍ଗଲ ଚାଲ। ଏଭଳି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ। ପୋଷଣ ସାମଗ୍ରୀ ନେବା ପାଇଁ ନେଟଓ୍ବର୍କ ଆବଶ୍ୟକ। ଆଉ ସେହି ନେଟଓ୍ବର୍କ ପାଇଁ କୋମଳମତି ଶିଶୁକୁ ଧରି କିଏ ଜଙ୍ଗଲରେ ପଶିଲାଣି ତ କିଏ ପାହାଡ଼ ଚଢ଼ିଲାଣି। ନେଟଓ୍ବର୍କ ପାଇଁ ନାକେଦମ ଅଙ୍ଗନବାଡି କର୍ମୀ ଓ ହିତାଧିକାରୀ।
ନେଟଓ୍ବର୍କ ପାଇଁ ନାକେଦମ । କିଏ ପାହାଡ଼ ଉପରେ ଚଢ଼ିଲାଣି ତ କିଏ ଜଙ୍ଗଲ ଭିତରେ ପଶିଲାଣି । ନେଟଓ୍ବର୍କ ପାଇଁ ସଂଘର୍ଷ କରୁଛନ୍ତି ମହିଳା । କିଏ ୧୨ ଦିନର ଜନ୍ମ ହୋଇଥିବା ଶିଶୁକୁ କପଡାରେ ଘୋଡାଇ ଧରିଛି ତ ଆଉ କିଏ ମାସକର ଶିଶୁକୁ କୋଳରେ ଧରି ଜଙ୍ଗଲ ଭିତରକୁ ଯାଉଛନ୍ତି । ମୟୂରଭଞ୍ଜ କପ୍ତିପଦା ବ୍ଲକ ଜଡିଦା ପଂଚାୟତର ବାରବାଙ୍କ ଅଙ୍ଗନବାଡିରୁ ଆସିଛ ଏଭଳି ସାଙ୍ଘାତିକ ଚିତ୍ର। ଅଙ୍ଗନବାଡିରୁ ପୁଷ୍ଟିକର ଖାଦ୍ୟ ନେବାକୁ ଆସୁଥିବା ଗର୍ଭବତୀ ଏବଂ ପ୍ରସୂତି ଭୋଗୁଛନ୍ତି ସମସ୍ୟା।
ନେଟଓ୍ବର୍କ ପାଇଁ ଜଙ୍ଗଲରେ ଘଣ୍ଟା ଘଣ୍ଟା ଧରି କରୁଛନ୍ତି ଅପେକ୍ଷା। ଅଙ୍ଗନବାଡ଼ିରୁ ଶିଶୁଙ୍କ ପୋଷଣ ସାମଗ୍ରୀ ନେବାକୁ ହେଲେ ପ୍ରତି ମାସ ହିତାଧିକାରୀଙ୍କ ଫେସ କ୍ୟାପଚର ଏବଂ କେୱାଇସି କରିବାକୁ ପଡେ। ହେଲେ ଅଙ୍ଗନବାଡିରେ ମୋବାଇଲ ନେଟୱର୍କ ଓ ଇଣ୍ଟରନେଟ ନ ଆସିବାରୁ ହିତାଧିକାରୀଙ୍କୁ ସାଙ୍ଗରେ ଧରି ମୋବାଇଲରେ ନେଟୱର୍କ ଖୋଜି ଖୋଜି ଜଙ୍ଗଲ ଏବଂ ପାହାଡ଼ ଚଢିଥାନ୍ତି ଉଭୟ ଅଙ୍ଗନବାଡି କର୍ମୀ ଓ ହିତାଧିକାରୀ। ସେଠାରେ ଫଟୋ ଉଠାଇବା କାମ ସରିବା ପରେ ଅଙ୍ଗନବାଡିରୁ ଆସି ହିତାଧିକାରୀ ନେଇଥାନ୍ତି ସାମଗ୍ରୀ। ଯାହା ଅତ୍ଯନ୍ତ ଯନ୍ତ୍ରଣାଦାୟକ।
କେବଳ ଏହି ଗୋଟିଏ ଅଙ୍ଗନବାଡି ତାହା ନୁହେଁ ସେହି ପଞ୍ଚାୟତରେ ଥିବା ଅନ୍ୟ ଅଙ୍ଗନବାଡିରେ ମଧ୍ୟ ସମାନ ଅବସ୍ଥା। ଯେଉଁଥିପାଇଁ ମୋବାଇଲ ନେଟୱାର୍କ ତାଡନାରେ ପେଷି ହେଉଛନ୍ତି ସମସ୍ତେ। ସରକାରୀ ଯୋଜନାକୁ ସଠିକ କାର୍ଯ୍ୟକାରୀ କରିବା ପାଇଁ ଅଙ୍ଗନବାଡି କର୍ମୀ ନାକେଦମ ହେବା ସହିତ ଗର୍ଭବତୀ ଓ ପ୍ରସୂତି ଏଭଳି ସମସ୍ୟା ଭୋଗିବା ଯୋଜନାର ବାସ୍ତବତାକୁ ପରିହାସ କରୁଛି ନିଶ୍ଚିତ। ତେବେ ପ୍ରଶ୍ନ ଉଠୁଛି ଏହି ଯନ୍ତ୍ରଣାର ଅନ୍ତ ଅଛି ତ ?