ଧୁମଧାମରେ ଚାଲିଛି ଲକ୍ଷ୍ମୀ ପୂଜା

ନନ୍ଦିଘୋଷ ବ୍ୟୁରୋ: ବିରାଜିଛନ୍ତି ଧନଦାତ୍ରୀ। ଆରମ୍ଭ ହୋଇଛି ଗଜଲକ୍ଷ୍ମୀ ପୂଜା । ଧନଦାତ୍ରୀଙ୍କ ଆବାହନ ପାଇଁ ଉତ୍ସବମୁଖର ଗାଁଠୁ ସହର। ଅନୁଗୁଳ ସହରରେ ଧୁମଧାମରେ ଚାଲିଛି ଲକ୍ଷ୍ମୀ ପୂଜା। ଜାତି, ଧର୍ମ ନିର୍ବିଶେଷରେ ମା’ଙ୍କ ଆବାହନ ପାଇଁ ବ୍ୟାପକ ପ୍ରସ୍ତୁତି । ସୋମବାର ସନ୍ଧ୍ୟାରୁ ପୂଜା ମଣ୍ଡପଗୁଡ଼ିକରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରା ଯାଇଥିବା ବେଳେ ସହରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

ସୁଉଚ୍ଚ ତୋରଣ। ରଙ୍ଗବେରଙ୍ଗର ଆଲୋକମାଳା।  ଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ଅନୁଗୁଳ ସହର। ଧୁମଧାମରେ ଚାଲିଛି ଧନଦାତ୍ରୀଙ୍କ ପୂଜା। ଛକ ଛକରେ ପୂଜା ପାଉଛନ୍ତି ମାଆ। ୬୦ରୁ ଅଧିକ ବର୍ଷ ହେବ ସହରର ବିଭିନ୍ନ ପୂଜା ମଣ୍ଡପଗୁଡ଼ିକରେ ପୂଜା ପାଳିତ ହୋଇଆସୁଛି। ବିଭିନ୍ନ ପୂଜା ମଣ୍ଡପ କାର୍ଯ୍ୟକର୍ତ୍ତା ତଥା ଶ୍ରଦ୍ଧାଳୁଙ୍କ ଦ୍ବାରା କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । କଳସ ଶୋଭାଯାତ୍ରା ସହ ୧୦୮ କଳସ ପୂଜା ମଣ୍ଡପରେ ସ୍ଥାପନ ହୋଇଛି । ରୀତିନୀତି ଅନୁଯାୟୀ ଧନଦାତ୍ରୀଙ୍କ ପୂଜା ଚାଲିଛି ।

ସବୁ ମଣ୍ଡପରେ ରହିଛି ଭିନ୍ନ ସାଜସଜା । କାଞ୍ଚନ ବଜାରରେ ଚଳିତ ବର୍ଷ ଅଯୋଧ୍ୟାର ରାମ ମନ୍ଦିର ପରି ତୋରଣ ହୋଇଛି। ସେହିପରି ଡିଆଇସି ଛକରେ ତୋରଣ ଉପରେ ମହାଦେବଙ୍କ ଏକ ପ୍ରତିମା ଶୋଭା ପାଉଛି । କରଡ଼ାଗାଡ଼ିଆ ଆନନ୍ଦ ବଜାର ପକ୍ଷରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି । କେଉଁଠି ପେଚା ଆକୃତିର ଗୁମ୍ଫା କରାଯାଇ ଭିତରେ ଜଙ୍ଗଲ ସଦୃଶ ସଜାଯାଇଛି ତ ଆଉ କେଉଁଠି ବିଭିନ୍ନ ବନ୍ୟଜନ୍ତୁଙ୍କ ମୂର୍ତ୍ତି ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି । ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଅନୁଗୁଳ ଲକ୍ଷ୍ମୀପୂଜା  ୧୪ ତାରିଖ ଯାଏ ଚାଲିବ । ୧୫ ତାରିଖ ଭସାଣ ଥିବା ବେଳେ ଏଥିପାଇଁ ପୂଜାକମିଟି ଓ ପ୍ରଶାସନ ପ୍ରସ୍ତୁତ ଅଛନ୍ତି ।