ପି. ଚିଦାମ୍ବରମଙ୍କ ବଡ଼ ବୟାନ : ଅପରେସନ ବ୍ଲୁ ଷ୍ଟାର ଏକ ବଡ଼ ଭୁଲ ଥିଲା, ନିଜ ଜୀବନ ଦେଇ ମୂଲ୍ୟ ସୁଝିଥିଲେ ଇନ୍ଦିରା ଗାନ୍ଧୀ

ନନ୍ଦିଘୋଷ ବ୍ୟୁରୋ : ଅପରେସନ ବ୍ଲୁ ଷ୍ଟାର ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ । ସେ କହିଛନ୍ତି ଯେ, ଅପରେସନ ବ୍ଲୁ ଷ୍ଟାର ଏକ ଗମ୍ଭୀର ଭୁଲ ଥିଲା, ଯାହା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜ ଜୀବନ ଦେଇ ମୂଲ୍ୟ ସୁଝିଥିଲେ । ହିମାଚଳ ପ୍ରଦେଶର କସୌଲିରେ ଖୁଶୱନ୍ତ ସିଂହ ସାହିତ୍ୟ ମହୋତ୍ସବରେ ପି. ଚିଦାମ୍ବରମ ଏହି ବୟାନ ଦେଇଛନ୍ତି।
ଏହି ଆଲୋଚନାରେ ସେ ଅପରେସନ ବ୍ଲୁ ଷ୍ଟାରକୁ ଭୁଲ ବୋଲି ନିନ୍ଦା କରିଥିଲେ। ସେ କହିଥିଲେ ଯେ, ଇନ୍ଦିରା ଗାନ୍ଧୀ ତାଙ୍କ ଜୀବନର ମୂଲ୍ୟ ଦେଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ଏହି ନିଷ୍ପତ୍ତି ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଏକମାତ୍ର ନିଷ୍ପତ୍ତି ନୁହେଁ, ବରଂ ଏକ ମିଳିତ ନିଷ୍ପତ୍ତିର ପରିଣାମ। ସେ ପଞ୍ଜାବରେ ଖଲିସ୍ତାନ ଦାବିର ଅନ୍ତ ପାଇଁ ମଧ୍ୟ ଆହ୍ୱାନ ଦେଇଥିଲେ।
ଇନ୍ଦିରା ଗାନ୍ଧୀଙ୍କ ନିଷ୍ପତ୍ତି କେବଳ ତାଙ୍କର ନଥିଲା
ପି. ଚିଦାମ୍ବରମ କହିଥିଲେ ଯେ ଅପରେସନ ବ୍ଲୁ ଷ୍ଟାର କରିବାର ନିଷ୍ପତ୍ତି ଏକା ଇନ୍ଦିରା ଗାନ୍ଧୀଙ୍କର ନଥିଲା। ଏଥିରେ ସେନା, ପୋଲିସ, ଗୁଇନ୍ଦା ଏବଂ ପ୍ରଶାସନିକ ସେବା ସମେତ ସମସ୍ତେ ସାମିଲ ଥିଲେ। ଏହା ପରେ ହିଁ ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ଏଥିପାଇଁ ଇନ୍ଦିରା ଗାନ୍ଧୀଙ୍କୁ ଦାୟୀ କରାଯାଇଛି, ଯାହା ଭୁଲ୍। ସେ କହିଥିଲେ, “ମୁଁ କୌଣସି ସାମରିକ ଅଧିକାରୀଙ୍କୁ ଅସମ୍ମାନ କରୁନାହିଁ, କିନ୍ତୁ ସେହି (ବ୍ଲୁ ଷ୍ଟାର) ସ୍ୱର୍ଣ୍ଣ ମନ୍ଦିର ପୁନଃପ୍ରାପ୍ତିର ଭୁଲ ଉପାୟ ଥିଲା। କିଛି ବର୍ଷ ପରେ, ଆମେ ସେନାକୁ ବାହାରେ ରଖି ସ୍ୱର୍ଣ୍ଣ ମନ୍ଦିର ପୁନଃପ୍ରାପ୍ତିର ସଠିକ୍ ଉପାୟ ଦେଖାଇଲୁ।”