ଆଇନଜୀବୀ ପୀତବାସ ପଣ୍ଡା ମର୍ଡର ମିଷ୍ଟ୍ରି ;ଏବେବି ଅପରାଧୀଙ୍କ ନିକଟରେ ପହଞ୍ଚିପାରିନି ପୋଲିସ

ବ୍ରହ୍ମପୁର : ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାକୁ ପୂରିଲାଣି ୮ ଦିନ । ଏବେ ବି ପୋଲିସ ହାତରେ ଧରାପଡିନାହାନ୍ତି ଅଭିଯୁକ୍ତ । ପୋଲିସର ତିନୋଟି ଟିମ ଜିଲ୍ଲାର ଖଲ୍ଲିକୋଟ, କବିସୂର୍ଯ୍ୟନଗର, ପୋଲସରା ଓ ପାଟପୁର ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା । ପାଟପୁର ଅଞ୍ଚଳରେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିବା ଜଣାପଡ଼ିଛି । ଏହି ଅଞ୍ଚଳରେ ଦୁର୍ବୁତ୍ତଙ୍କ ଗତିବିଧି ଜଣାପଡିଥିବା ସୂଚନା ମିଳିଛି । ଚଢ଼ାଉ କରିବା ସମୟରେ କିଛି ଲୋକଙ୍କୁ ପୀତବାସ ହତ୍ୟା ମାମଲାକୁ ନେଇ ପଚରାଉଚୁରା କରାଯାଇଥିବା ବେଳେ କିଛି ଲୋକଙ୍କୁ ଉଠାଇ ଆଣି ଜେରା କରାଯାଉଥିବା ଜଣାପଡିଛି । ପୂର୍ବରୁ ଖଲ୍ଲିକୋର୍ଟରୁ ଜଣକୁ ଓ ଆଜି ବ୍ରହ୍ମପୁର ଓ ଉପକଣ୍ଠ ଲଙ୍ଗଳଦେଇରୁ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଉଠାଇ ଆଣି ପଚରାଉଚରା କରାଯାଉଛି ।
ବର୍ତ୍ତମାନ ପୀତବାସ ହତ୍ୟା ଘଟଣାରେ ସମ୍ପୃକ ଅଭିଯୁକ୍ତଙ୍କ ନିକଟରେ ପହଁଚିବା ପାଇଁ କିଛି ଜେଲ ଫେରନ୍ତା ଅର୍ଥାତ ପୋଲିସର ବିଶ୍ୱସ୍ତ ଅପରାଧୀଙ୍କ ସହ ପୋଲିସ ଯୋଗାଯୋଗରେ ଥିବା ସୂଚନା ରହିଛି । ଅନ୍ୟପକ୍ଷରେ ପୋଲିସ ଜନୈକ କର୍ପୋରେଟରଙ୍କୁ ଥାନାକୁ ଡାକି ପୀତବାସ ହତ୍ୟା ଘଟଣାରେ ସମ୍ପର୍କରେ ପଚାରାଉଚରା କରି ଛାଡ଼ିଛି । ଅନ୍ୟପକ୍ଷରେ ୧୨କୋଟି ଟଙ୍କା ଜମିଜମା ବିବାଦକୁ ନେଇ କାହାସହ ପୀତବାସଙ୍କ ଯୁକ୍ତିତର୍କ ହୋଇଥିଲା ? କେଉଁ କେଉଁମାନେ ଏହି ବିବାଦରେ ସାମିଲ ହୋଇଥିଲେ ? ସେ ନେଇ କିଛି ଅଟକଙ୍କ ଠାରୁ ପୋଲିସ ତଥ୍ୟ ହାସଲ କରିଥିବା ଜଣାପଡ଼ିଛି । ଏହି ବିବାଦରେ ପ୍ରତିଷ୍ଠିତ ବ୍ୟବସାୟୀ, ଜନପ୍ରତିନିଧି ,ନେତା ଓ କର୍ମୀ ସାମିଲ ଥିବା ଶୁଣିବାକୁ ମିଳୁଛି । ପୋଲିସ ସ୍କାନରରେ ରହିଛନ୍ତି ହାଇପ୍ରୋଫାଇଲ ମର୍ଡର କେସର ଅଭିଯୁକ୍ତ। ସମ୍ପୃକ ଅଭିଯୁକ୍ତଙ୍କୁ ଉଠାଇ ଆଣି ପୋଲିସ ଜେରା କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ଜଣାପଡିଛି ।
ପୋଲିସ ଟିମ କମାପଲ୍ଲୀ, ମେଡ଼ିକାଲ ରୋଡ଼,ସିଦ୍ଧାର୍ଥ ନଗର ରୋଡ଼, ଇଞ୍ଜିନିୟର ସ୍କୁଲ ରୋଡ଼ ଆଦି ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି । ହେଲେ ଏବେ ସୁଦ୍ଧା ପୋଲିସ ହାତରେ ଠୋସ ପ୍ରମାଣ ଲାଗିପାରିନାହିଁ। କାହିଁକି ଅପରାଧୀଙ୍କୁ ଧରିବାରେ ପୋଲିସ ବିଳମ୍ବ କରୁଛି ତାହା ପ୍ରଶ୍ନ ଘେରରେ ରହିଛି…..