ଲୋକଙ୍କୁ ଠକିଲେ ଲୋକଙ୍କ ସରକାର: ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଭୁଲିଗଲେଣି ନିର୍ବାଚନୀ ପ୍ରତିଶ୍ରୁତି; ପଦଯାତ୍ରା ଜରିଆରେ ଜନ ଜାଗରଣ ସୃଷ୍ଟି କରୁଛି ବିଜେଡି

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟବାସୀଙ୍କୁ ସୁଶାସନ ଦେବାରେ ବିଫଳ ବିଜେପି । ପାଣିର ଗାର ପାଲଟିଛି ନିର୍ବାଚନୀ ପ୍ରତିଶ୍ରୁତି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା । ବିଜେପି ସରକାରର ବିଫଳତା ବିରୋଧରେ ଗାଁ ଗାଁରେ ଜନ ସଚେତନତା ସୃଷ୍ଟି କରିବାକୁ ଅଣ୍ଟା ଭିଡ଼ିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ । ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ କରାଯାଉଛି ସଚେତନ । ସେହିପରି କଂଗ୍ରେସ ମଧ୍ୟ ଆଦିବାସୀ ଭୋଟରଙ୍କୁ କରୁଛି ସଚେତନ । ଶାସକ ଦଳକୁ ଉଭୟ କରୁଛନ୍ତି ଟାର୍ଗେଟ୍ ।
ସଶକ୍ତ ବିରୋଧୀ ଦଳ ଭାବେ ଲୋକଙ୍କ ସ୍ବର ସାଜି ରାଜ୍ୟ ସ୍ବାର୍ଥ ପାଇଁ ଲଢେଇ କରୁଛି ବିଜେଡି । ପଦାକୁ ଆସୁଛି ସରକାରଙ୍କ ଦୋଷ ଦୁର୍ବଳତା । ୧୬ ମାସରେ ଓଡ଼ିଶାବାସୀଙ୍କୁ ସୁଶାସନ ଦେବାରେ ବିଫଳ ହୋଇଛି ବିଜେପି । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ, ଦିଗହରା ନାରୀ ସୁରକ୍ଷା । ଗାଁ ଗାଁରେ ଠପ୍ ହୋଇଯାଇଛି ବିକାଶ କାମ । ଫେଲ ମାରିଛି ନିର୍ବାଚନୀ ପ୍ରତିଶ୍ରୁତି । ଯାହା ବିରୋଧରେ ଜନ ସଚେତନତା ସୃଷ୍ଟି କରୁଛି ବିଜେଡି । ଗାନ୍ଧୀ ଜୟନ୍ତୀରେ ସଙ୍କଳ୍ପ ପରେ ନଭେମ୍ବର ୯ ତାରିଖରୁ ପଦଯାତ୍ରା ମାଧ୍ୟମରେ ଜନତାଙ୍କୁ ସଚେଚନ କରାଉଛି ଦଳ । ଆଗକୁ ଏହି ଧାରାକୁ ଜୋରଦାର କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ନିଜ ଜନ୍ମଦିନରେ ପଦଯାତ୍ରାରେ ସାମିଲ ହୋଇ ସରକାରଙ୍କ ବିରୋଧରେ ଦେବେ ରଣହୁଙ୍କାର । ଓଡ଼ିଶାବାସୀଙ୍କ ସ୍ବାର୍ଥରେ ବାଧକ ସାଜିଲେ ବିଜେଡି ଚୁପ ବସିବନି ବୋଲି ସିଧାସଳଖ ଚେତାବନୀ ଦେଇଛି ଦଳ ।
ବିଜେଡି ଭଳି କଂଗ୍ରେସ ମଧ୍ୟ ବିଜେପି ସରକାରର ମଥ୍ୟା ପ୍ରଚାର ବିରୋଧରେ ପ୍ରଚାର କରିବାକୁ ଅଣ୍ଟା ଭିଡ଼ିଛି । ଶାସକ ଦଳର ମିଥ୍ୟା ଆଦିବାସୀ କାର୍ଡ ବିରୋଧରେ ଜନ ସଚେତନତା ସୃଷ୍ଟି କରାଯିବ । କଂଗ୍ରେସ ସରକାର ସମୟରେ ଲୋକଙ୍କ ପାଇଁ କି ସୁବିଧା କରାଯାଇଥିଲା, ସେ କଥା ଲୋକଙ୍କୁ ବୁଝାଇବ ଦଳ । ବିଶେଷ କରି ଆଦିବାସୀଙ୍କୁ ସଚେତନ କରିବାକୁ ଅଣ୍ଟା ଭିଡିଛନ୍ତି କଂଗ୍ରେସ ନେତା । ଅନ୍ୟପଟେ ବିଜେପି କହିଛି, ଲୋକଙ୍କ ସହ ଯୋଡ଼ି ହୋଇ ବିକାଶମୂଳକ କାମକୁ ଦିଆଯାଇଛି ଗୁରୁତ୍ବ । ଯାହାକୁ କଟାକ୍ଷ କରିଛି ବିଜେଡି ।
ପଦଯାତ୍ରା ଜରିଆରେ ଲୋକଙ୍କ ପାଖରେ ପହଞ୍ଚୁଛି ବିଜେଡି । କଂଗ୍ରେସ ମଧ୍ୟ ଆପଣାଇଛି ସମାନ ପନ୍ଥା । ଆଉ ବିରୋଧୀଙ୍କୁ ଚେକ୍ ଦେବାକୁ ବି ପ୍ରସ୍ତୁତ ରହିଛି ବିଜେପି । ସବୁକୁ ଯଦି ନଜର ପକାଇବା, ତେବେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ସଫଳତା ଓ ବିଫଳତାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି।