ମହାଗଠବନ୍ଧନରେ ଅଚଳାବସ୍ଥା ; ହୋଇପାରୁନି ଆସନ ବୁଝାମଣା

ନନ୍ଦିଘୋଷ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପ୍ରସଙ୍ଗ । ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ । ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି । ହେଲେ ମହାଗଠବନ୍ଧନର ହୋଇପାରୁନି ଆସନ ବୁଝାମଣା । ଆରଜେଡି ଓ କଂଗ୍ରେସ ମଧ୍ୟରେ ଅଚଳାବସ୍ଥା ଜାରି ରହିଥିବାବେଳେ କେବଳ ସିପିଆଇଏମଏଲ ୧୮ ଆସନରେ ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସ ପ୍ରାୟ ୭୦ ଆସନ ଦାବି କରୁଥିବାବେଳେ ତେଜସ୍ବୀ ଯାଦବ ଏଥିଲାଗି ଅରାଜି ଅଛନ୍ତି । ତେଣେ ବିକାଶଶୀଳ ଇନସାନ ପାର୍ଟି ଅତି କମରେ ୨୪ ଆସନ ଦାବି କରିଛି । ଦଳର ନେତା ମୁକେଶ ସାହାଣୀ ଅଧିକ ଆସନ ଦାବି କରୁଥିବାରୁ ଅଚଳାବସ୍ଥା ଜାରି ରହିଛି । ବିକାଶଶୀଳ ଇନସାନ ପାର୍ଟିକୁ ୧୫ ଆସନ ଦେବାକୁ କହୁଛନ୍ତି ତେଜସ୍ବୀ ।
ବିହାରର ଧୀବର ଓ ନୌଚାଳକ ସମ୍ପ୍ରଦାୟର ପୂର୍ଣ୍ଣ ସମର୍ଥନ ଭିଆଇପି ପାଉଥିବାରୁ ଦଳ ଅଧିକ ଆସନ ଚାହୁଁଛି । ଗତ ୨୦୨୦ ନିର୍ବାଚନରେ ପ୍ରଥମେ ମହାଗଠବନ୍ଧନ ସହ ଥିଲା ଅଧିକ ଆସନ ପାଇ ଭିଆଇପି । ମାତ୍ର ପରେ ଏହା ଏନଡିଏକୁ ଚାଲିଯାଇଥିଲା । ଏନଡିଏରେ ଥାଇ ୧୧ ଆସନ ଲଢିଥିଲା ଭିଆଇପି । ପାଇଥିଲା ୪ ଆସନ। ଦଳର ଜଣେ ବିଧାୟକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ବିଧାୟକ ବିଜେପିକୁ ଚାଲିଯାଇଥିଲେ । ପୂର୍ବରୁ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ବିଭାଗ ମନ୍ତ୍ରୀ ଥିଲେ ସାହାଣୀ ।