୧୮ ହଜାର ଟଙ୍କାରୁ ଅଧିକ ଛାତ୍ର ବୃତ୍ତି ପାଉଥିଲେ ମିଳିବନି ‘ସୁଭଦ୍ରା’ ଟଙ୍କା

ନନ୍ଦିଘୋଷ ବ୍ୟୁରୋ : ୧୮ ହଜାର ଟଙ୍କାରୁ ଅଧିକ ଛାତ୍ର ବୃତ୍ତି ପାଉଥିଲେ ‘ସୁଭଦ୍ରା’ ପାଇଁ ଅଯୋଗ୍ୟ ହୋଇପାରନ୍ତି ଛାତ୍ରୀ । କୌଣସି ମହିଳାଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କଠାରୁ ୧୮ ହଜାର କିମ୍ବା ଏହାଠାରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ମିଳୁଥିଲେ ମିଳିବନି ସୁଭଦ୍ରା ଟଙ୍କା । ଯଦି ଏପରିକି ସରକାରୀ ସହାୟତା ପାଉଥିବେ ତେବେ ସୁଭଦ୍ରା ଯୋଜନାରୁ ବାଦ ପଡିପାରନ୍ତି । ଏନେଇ ଦୁଇ ବିଭାଗରୁ ରିପୋର୍ଟ ମାଗିଲା ମହିଳା ଓ ଶିଶୁ ବିକାଶ ବିଭାଗ । ଉଚ୍ଚଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗ ସଚିବଙ୍କୁ ପତ୍ର ଲେଖିଛି ବିଭାଗ । ସୁଭଦ୍ରା’ ନିୟମାବଳୀ ଅନୁସାରେ ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ ହିତାଧିକାରୀଙ୍କ ବୟସ ୨୧ ବର୍ଷ କିମ୍ବା ତାହାଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ । ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ଅଧୀନରେ ଯଦି ବାର୍ଷିକ ୧୮ ହଜାର ଟଙ୍କାକିମ୍ବା ତାହାଠାରୁ ଅଧିକ ଅର୍ଥ ସହାୟତା ଗ୍ରହଣ କରୁଥିବେ, ସେକ୍ଷେତ୍ରରେ ସଂପୃକ୍ତ ମହିଳା ଅଯୋଗ୍ୟ ଘୋଷିତ ହୋଇପାରନ୍ତି । ଏନେଇ ବିଭାଗକୁ ଅନେକ ଅଭିଯୋଗ ମିଳିଛି। ଛାତ୍ରୀମାନଙ୍କୁ ଯେଉଁ ଛାତ୍ରବୃରି ରାଶି ପ୍ରଦାନ କରାଯାଉଛି, ତାହା କେବଳ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ବ୍ୟୟ ହେଉଛି, ହେଲେ ଏହାକୁ ଅତିରିକ୍ତ ଅର୍ଥ ସହାୟତା ଭାବେ ହିସାବକୁ ନିଆଯାଇପାରୁନାହିଁ । ଏନେଇ ବିସ୍ତୃତ ଭାବେ ଯାଞ୍ଚ କରି ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦିଷ୍ଟ ଫର୍ମାଟରେ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ କେଉଁ ଛାତ୍ରୀମାନେ ୧୮ ହଜାର ଟଙ୍କାରୁ ଅଧିକ ଛାତ୍ରବୃତ୍ତି ନେଇଛନ୍ତି ତା’ର ସମସ୍ତ ତଥ୍ୟ ପ୍ରଦାନ କରିବା ଲାଗି ଚିଠି ଲେଖିଛି ବିଭାଗ ।