ସରକାରଙ୍କ ବଡ଼ ଯୋଜନା: ବଦଳି ଯିବ ଲୋକଙ୍କ ରୋଜଗାର ଓ ଖର୍ଚ୍ଚର ହିସାବ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାବର୍ଷରୁ ଭାରତର ଆର୍ଥିକ ରୂପରେଖ ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି । କେନ୍ଦ୍ର ସରକାର ଏହି ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଯେଉଁଥିରେ ଲୋକଙ୍କ ରୋଜଗାର ଓ ଖର୍ଚ୍ଚକୁ ନୂଆ ରୂପରେ ଆକଳନ କରାଯିବ । ଏହି ପରିବର୍ତ୍ତନ ଜରିଆରେ ଜିଡିପି, ଦରଦାମ ବୃଦ୍ଧି, ଔଦ୍ୟୋଗିକ ଉତ୍ପାଦ ପରି ବଧ ଆର୍ଥିକ କ୍ଷେତ୍ରକୁ ଅପଡେଟ କରାଯିବ । କାରଣ ଏହା ଆଜିର ସମୟର ପ୍ରକୃତ ସ୍ଥିତି ଦେଖାଇ ପାରିବ । ଗୁରୁତ୍ବପୂର୍ଣ୍ଣ କଥା ହେଲା ଏବେ ଏକ ନୂଆ ଇଣ୍ଡେକ୍ସ ଆସିବାକୁ ଯାଉଛି । ଯାହା ଦ୍ରୁତଗତିରେ ବଢୁଥିବା ସର୍ଭିସ୍ ସେକ୍ଟରକୁ ଟ୍ରାକ୍ କରିବ ।
ନୂଆ ତଥ୍ୟ, ନୂଆ ବେସ ଇୟର
ଆଜିର ଦିନରେ ଯେଉଁ ଅର୍ଥନୈତିକ ତଥ୍ୟ ଆସୁଛି ତାହା ୨୦୧୧-୧୨ ବେସ ଇୟର ଅର୍ଥାତ ସେ ସମୟର ଦରଦାମ ଉପରେ ଆଧାରିତ । ସେତେବେଳେ ଲୋକଙ୍କ ଖର୍ଚ୍ଚ କରିବାର ଅଭ୍ୟାସ ଆଜିର ଦିନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ସେତେବେଳେ ଲୋକେ ଖାଇବା, ପିଇବାରେ ଅଧିକ ଖର୍ଚ୍ଚ କରୁଥିଲେ । ହେଲେ ଏବେ ସ୍ମାର୍ଟଫୋନ, ଇଣ୍ଟରନେଟ ଓ ଡିଜିଟାଲ ସେବା ଆମ ଜୀବନର ଏକ ମୁଖ୍ୟ ଅଂଶ ହୋଇଯାଇଛି । ଏଥିପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି, ବେସ ଇୟରକୁ ଅପଡେଟ କରାଯିବ । ଯାହାଦ୍ବାରା ନୂଆ ତଥ୍ୟ ସଠିକ ଓ ବସ୍ତବିକ ସ୍ଥିତିକୁ ଦର୍ଶାଇବ ।
୨୦୨୬ ଫେବୃଆରୀକୁ ଡିଜିପିର ନୂଆ ତଥ୍ୟ ଜାରି ହେବ । ଯାହା ୨୦୨୨-୨୩ ଦରଦାମ ଉପରେ ଆଦାରିତ ହେବ । ଏହାପୂର୍ବରୁ ଜନୁଆରୀ ୭ରେ ବଜେଟ ପାଇଁ ଯାହା ଆସିବ ତାହା ପୁରୁଣା ବେସ ଇୟର ଉପରେ ରହିବ । ଫେବୃଆରୀରେ ଦରଦାମର ନୂଆ ତଥ୍ୟ ମଧ୍୍ର ଆଓିବ ଯାହା ୨୦୨୩-୨୪ ଦରଦାମ ଉପରେ ଧ୍ୟାନ ରଖିବ ।
ସର୍ଭିସ ସେକ୍ଟର ପାଇଁ ନୂଆ ଇଣ୍ଡେକ୍ସ
ଭାରତୀୟ ଅର୍ଥବ୍ୟବସ୍ଥାରେ ସର୍ଭିସ ସେକ୍ଟର ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ । କିନ୍ତୁ, ଏପର୍ଯ୍ୟନ୍ତ ଏହାକୁ ମାପିବାକୁ କୌଣସି ବିଶେଷ ବ୍ୟବସ୍ଥା ନଥିଲା । ଏଥର ପ୍ରଥମ କରି ଏକ ନୂଆ ସର୍ଭିସ ସେକ୍ଟର ଇଣ୍ଡେକ୍ସ ଆସିବ ଯାହା ଡିଜିଟାଲ, ଲଜିଷ୍ଟିକ ଓ ଦ୍ରୁତଗତିରେ ବଢୁଥିବା ଅନ୍ୟ କ୍ଷେତ୍ରକୁ ଟ୍ରାକ କରିବ । ଏହି ପରିବର୍ତ୍ତିନ ଏଥିପାଇଁ ମଧ୍ୟ ଜରୁରୀ ହୋଇଯାଉଛି, କାରଣ ଆଜିର ଦିନରେ ଏହି ସେକ୍ଟରଗୁଡିକ ଦେଶର ବିକାଶରେ ଏକ ମୁଖ୍ୟ ମାଧ୍ୟମ ହୋଇଯାଇଛି ।
ଦରଦାମ ଓ ଖର୍ଚ୍ଚ ତଥ୍ୟରେ ସୁଧାର
ସରକାର କେବଳ ଜିଡିପି ମଧ୍ୟରେ ସୀମିତ ନାହାନ୍ତି । ଦରଦାମକୁ ମାପୁଥିବା ସିପିଆଇରେ ବି ସୁଧାର କରୁଛନ୍ତି । ଏବେ ଯେଉଁ ଦରଦାମ ଓ ଓଜନ ସ୍ଥିର କରାଯାଉଛି, ସେଥିରେ ପରିବର୍ତ୍ତନ ହେବ । ବିଶେଷ କରି ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମରୁ ମିଳୁଥିବା ଖର୍ଚ୍ଚକୁ ଠିକ ଭାବେ ତଥ୍ୟରେ ସାମିଲ କରାଯିବ । ଏହାର ଅର୍ଥ ଏବେ ଦରଦାମର ପ୍ରକୃତ ପ୍ରଭାବକୁ ଆହୁରି ଭଲରେ ବୁଝି ହେବ ।
ସାଧାରଣ ଲୋକଙ୍କୁ ମିଳିବ ଲାଭ
ଏହାଦ୍ବାରେ ସରକାରଙ୍କୁ ଦେଶର ଅର୍ଥନୈତିକର ସଠିକ ଓ ଅପଡେଟ ତଥ୍ୟ ମିଳିବ । ଏହାଦ୍ବାରା ନୀତି ପ୍ରଣୟନ ସହଜ ହେବ । ଯାହା ନିତିଦିନିଆ ଜୀବନକୁ ସୁଗମ କରିବାରେ ସହାୟକ ହେବ । ଯେବେ ଦରଦାମ ଓ ଜିଡିପି ତଥ୍ୟ ସଠିକ ହେବ ସେବେ ସରକାର ସଠିକ ନିଷ୍ପତ୍ତି ନେଇପାରିବା । ଯାହା ଦେଶର ବିକାଶକୁ ନୂଆ ଗତି ଦେବ ।