ଦ୍ବିତୀୟ ଦିନିକିଆରେ ଭାରତର ପରାଜୟ, ୨-୦ରେ ସିରିଜ ହାତେଇଲା ଅଷ୍ଟ୍ରେଲିଆ

ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍ ଇଣ୍ଡିଆର ଆଉ ଏକ ପରାଜୟ । ଦ୍ବିତୀୟ ଦିନିକିଆରେ ଭାରତକୁ ଦୁଇ ଓ୍ବିକେଟରେ ହରାଇ ୨-୦ରେ ସିରିଜ ହାତେଇଲା ଅଷ୍ଟ୍ରେଲିଆ । ତିନିଟିକିଆ ସିରିଜରେ ଏହା ଭାରତର ଦ୍ବିତୀୟ ପରାଜୟ । ୨୬୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୪୬.୨ ବଲରେ ୮ ଓ୍ବିକେଟ ହରାଇ ୨୬୫ ରନ୍ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟଇମ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୬୪ ରନ୍ କରିଥିଲା । ଭାରତୀୟ ଟିମ ପ୍ରଥମ ମ୍ୟାଚ୍ ପର୍ଥରେ ହାରିଥିବା ବେଳେ ଦ୍ବିତୀୟ ମ୍ୟାଚ୍ ଏଡିଲେଡରେ ହାରିଛି ।
୨୬୫ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା କଙ୍ଗାରୁ ଦଳର ଆରମ୍ଭ ଏତେ ଭଲ ହୋଇ ନଥିଲା । ଅର୍ଶଦୀପ ସିଂ ଅଧିନାୟକ ମିଚେଲ ମାର୍ଶଙ୍କୁ ୧୧ ରନରେ ପ୍ୟାଭିଲିୟନକୁ ପଠାଇ ଦେଇଥିଲେ । ସେପଟେ ହର୍ଷିତ ରାଣା ଟ୍ରିବ୍ସ ହେଡଙ୍କୁ ୨୮ ରନରେ ଆଉଟ କରି ଭାରତର ବିଜୟ ଆଶା ବଢ଼ାଇ ଦେଇଥିଲେ । ଏହାପରେ ମ୍ୟାଥୁ ରେନସ ଏବଂ ମ୍ୟାଥୁ ସର୍ଟ ତୃତୀୟ ଓ୍ବିକେଟରେ ୫୫ ରନର ପାର୍ଟନରସିପ କରି ଅଷ୍ଟ୍ରେଲିଆ ଟିମକୁ ସଙ୍କଟରୁ ଉଦ୍ଧାର କରିଥିଲେ । ରେନସ ୩୦ ରନ୍ କରି ଅକ୍ଷର ପଟେଲଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ । ଓ୍ବାସିଂଟନ ସୁନ୍ଦର ଏଲେକ୍ସ କ୍ୟାରୀଙ୍କୁ ୯ ରନରେ ଆଉଟ କରିବା ପରେ ମ୍ୟାଚ୍ ପୁଣି ଭାରତ ସପକ୍ଷକୁ ଚାଲି ଆସିଥିଲା । ଏଲେକ୍ସ ଆୁଟ ହେବା ପରେ ସର୍ଟ ଏବଂ କୁପର କୋନୋଲି ୫ମ ଓ୍ବିକେଟରେ ୫୫ ରନର ପାର୍ଟନରସିପ କରିଥିଲେ । ସର୍ଟ ୭୮ ବଲରେ ୭୪ ରନ କରିଥିଲେ । ଯେଉଁଥିରେ ୪ଟି ଚୌକା ଏବଂ ଦୁଇଟି ଛକା ଥିଲା । ୫ମ ଓ୍ବିକେଟ ପତନ ପରେ ମିଚେଲ ଓଓ୍ବେନ ଏବଂ କୁପର ଷଷ୍ଠ ଓ୍ବିକେଟରେ ୫୯ ରନର ପାର୍ଟନରସିପ କରି ଅଷ୍ଟ୍ରେଲିଆର ବିଜୟକୁ ସହଜ କରି ଦେଇଥିଲେ ।
ଟସ ହାରିବା ପରେ ବ୍ୟାଟିଂ କରିବାକୁ ଆସିଥିବା ଭାରତ ୯ ଓ୍ବିକେଟ ହରାଇ ୨୬୪ ରନ୍ କରିଥିଲା । ଭାରତର ଆରମ୍ଭ ବି ଭଲ ହୋଇ ନଥିଲା । ଦଳୀୟ ସ୍କୋର ୧୭ ଥିବା ବେଳେ ଅଧିନାକୟ ଶୁବଭନ ଗିଲ ୯ ରନ କରି ଆଉଟ ହୋଇଥିଲେ । ସେହି ଓଭରରେ ଜେବିୟର ବିରାଟ କୋହଲିଙ୍କୁ ଆଉଟ କରି ଭାରତୀୟ ଫ୍ୟାନଙ୍କ ମଧ୍ୟରେ ନିରାଶା ଖେଳାଇ ଦେଇଥିଲେ । କୋହଲି ଖାତା ଖୋଲିବାକୁ ବି ସକ୍ଷମ ହୋଇ ନଥିଲେ । ଏହାସହ ଦ୍ବିତୀୟ ମ୍ୟାଚରେ ବି କୋହଲି ଶୂନରେ ଆଉଟ ହୋଇଥିଲେ । ଏହାପରେ ରୋହିତ ଶର୍ମା ଏବଂ ଶ୍ରେୟସ ଆୟର ତୃତୀୟ ସ୍ବିକେଟରେ ୧୧୮ ରନର ପାର୍ଟନରସିପ କରି ଭାରତୀୟ ଟିମକୁ ସମ୍ଭାଳି ଥିଲେ । ରୋହିତ ୭ ଚୌକା ଓ ଦୁଇ ଛକା ସହ ୯୭ ବଲରୁ ୭୩ ରନ କରି ମିଚେଲ ଷ୍ଟାର୍କଙ୍କ ଶିକାର ହୋଇଥିଲେ । ଏହା ପରେ ପରେ ଆୟର ମଧ୍ୟ ଆଉଟ ହୋଇ ଯାଇଥିଲେ । ସେ ୭୭ ବଳରେ ୬୧ ରନ କରିଥିଲେ । ଯେଉଁଥିରେ ୭ ଚୌକା ସାମିଲ ଥିଲା । ଏହାପରେ ଭାରତ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଥିଲା । କେଏଲ ରାହୁଲ ୧୧, ଓ୍ବାସିଂଟନ ସିନ୍ଦର ୧୨ ଏବଂ ନୀତୀଶ କୁମାର ରେଡ୍ଡି ୮ ରନ୍ କରି ଆଉଟ ହୋଇଯାଇଥିଲେ । ତେବେ ଶେଷ ଆଡକୁ ଅକ୍ଷର ପଟେଲଙ୍କ ୪୪ ରନ ବଳରେ ଭାରତ ୨୦୦ ରନ୍ ପାର କରିବାକୁ ସକ୍ଷମ ହୋଇଥିଲା । ହର୍ଷିତ ରାଣା ୨୪ ଏବଂଅର୍ଶଦୀପ ସିଂ ୧୩ ରନର ବହୁମୂଲ୍ୟ ଯୋଗଦାନ ଦେଇଥିଲେ ।