ଅନୁଗୁଳ ଜିଲ୍ଲା ଜରପଡା ଥାନା ପୋଲିସକୁ ନିର୍ଦ୍ଧୁମ ମାଡ ; ପୋଲିସର ମୋଟର ସାଇକେଲକୁ ଭାଙ୍ଗି ଦେଲେ ଦୁର୍ବୃତ୍ତ
ଅନୁଗୋଳ : ଅନୁଗୋଳ ଜିଲ୍ଲା ଜରପଡା ଥାନା ପୋଲିସକୁ ନିର୍ଦ୍ଧୁମ ମାଡ । ଏଥିରେ ଜରପଡା ଥାନାର ଜଣେ କନେଷ୍ଟବଳଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଜଣେ ଏସଆଇ ଆହତ ହୋଇଛନ୍ତି । ଏହାସହ ପୋଲିସର ମୋଟର ସାଇକେଲକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ଆହତ ଦୁଇଜଣ ହେଲେ ଜରପଡା ଥାନାର ଏସଆଇ ଲଳିତ ମୋହନ ବିଶ୍ୱାଳ ଓ କନେଷ୍ଟବଲ ରମାକାନ୍ତ ମାଝୀ । ଜରପଡା ଷ୍ଟେସନରେ ଟ୍ରେନ ମାଧ୍ୟମରେ ଘରୋଇ କୋଇଲା ପରିବହନକୁ ନେଇ ମେଟା ଓ ୟସୁଦା ମଧ୍ୟରେ ଦୀର୍ଘ ଦିନ ହେଲେ ବିବାଦ ଲାଗିରହିଛି । କିଛିଦିନ ତଳେ କୋଇଲା ପରିବହନ ରାସ୍ତା କାମକୁ ନେଇ ଉଭୟ ଏସୁଦା ଓ ମେଟା କମ୍ପାନୀର କର୍ମଚାରୀଙ୍କ ମଧ୍ୟରେ ଝଗଡା ହେବା ସହିତ ଘଟଣା ଥାନା ପର୍ଯ୍ୟନ୍ତ ଯାଇଥିଲା । ଜମି ଚିହ୍ନଟ ପରେ କାର୍ଯ୍ୟ କରିବା ପାଇଁ ପୋଲିସ ସେମାନଙ୍କୁ କହିବା ସହିତ କାମକୁ ବନ୍ଦ କରିଦେଇଥିଲେ ।
ଗତକାଲି ଅପରାହ୍ନରେ ଜରପଡା ଥାନାର ଏସଆଇ ଲଳିତ ମୋହନ ବିଶ୍ୱାଳ ଓ କନେଷ୍ଟବଲ ରମାକାନ୍ତ ମାଝୀ ସେଠାରେ କାମ ହେଉଥିବା ଖବର ପାଇ କାମକୁ ବନ୍ଦ କରିଥିଲେ । ସେହି ସମୟରେ ହଠାତ କିଛି ଯୁବକ ତାଙ୍କୁ ହକି ଷ୍ଟିକରେ ମାଡ଼ ମାରିଥିଲେ। ଫଳରେ ଏସଆଇ ଲଳିତ ମୋହନ ବିଶ୍ୱାଳ ଆହତ ହୋଇଥିବା ବେଳେ କନେଷ୍ଟବଲ ରମାକାନ୍ତ ମାଝୀଙ୍କ ମୁଣ୍ଡ ଫାଟିଯାଇଛି । ଖବର ପାଇ ଜରପଡା ଥାନା ଅଧିକାରୀ ଓ ପୋଲିସ କର୍ମଚାରୀ ମାନେ ପହଁଚି ଆହତ ଦୁଇ ପୋଲିସ କର୍ମଚାରୀଙ୍କ ଚିକିତ୍ସା କରାଇବା ସହିତ ଘଟଣାର ଛାନବିନ ଚଳାଇଛନ୍ତି । ପ୍ରାଥମିକ ତଦନ୍ତରୁ ମେଟା କମ୍ପାନୀର କିଛି କର୍ମଚାରୀ ମାଡ଼ ମାରିଥିବା ପୋଲିସ ସୂତ୍ରରୁ ଜଣାପଡିଛି ।
