ଚାଷୀଙ୍କୁ କାଳସାଜିଲା ନିମ୍ନମାନର ଧାନ ବିହନ ; ବିହନ ପକାଇବାର ୯୦ ଦିନ ପରେ ବିଲରେ ହେଲାନାହିଁ ଧାନ

ନନ୍ଦିଘୋଷ ବ୍ୟୁରୋ : ଆଉ ଅଳ୍ପଦିନ ପରେ ହୋଇଥାନ୍ତା ଅମଳ ।  ହେଲେ ସବୁ ସାରିଦେଲା ନିମ୍ନମାନର ବିହନ। ଛଡାଇନେଲା ଚାଷୀଙ୍କ ବର୍ଷ ଯାକର ଆହାର। ଏକର ଏକର ବିଲରେ ଧାନ କେଣ୍ଡା ଫାଙ୍କା । ବିନା କୌଣସି ଜଳସେଚନ ବ୍ୟବସ୍ଥାରେ ବର୍ଷା ଜଳ ଉପରେ ନିର୍ଭର କରି ଚାଷ କରିଥାନ୍ତି ସ୍ଥାନୀୟ ଲୋକେ l କିନ୍ତୁ ଚଳିତବର୍ଷ ଧାନଚାଷ କରିଥିବା ଶତାଧିକ ଚାଷୀ ଏବେ ଚିନ୍ତାରେ l  ସରକାରୀ ବିହନ ନମିଳିବାରୁ ଧାର କରଜ କରି ଘରୋଇ ସଂସ୍ଥା ଠାରୁ  ବିହନ ଆଣି ବୁଣିଥିଲେ ଚାଷୀ। ୧୦ କିଲୋ ପିଛା ୮ଶହ ଟଙ୍କା ଦେଇ ଭୂଲକ୍ଷ୍ମୀ ସିଡସ କମ୍ପାନୀରୁ କଳାଚମ୍ପା ଧାନ ପାଇଁ ବିହନ ଆଣିଥିଲେ। ବିହନ ବୁଣିବାର  ୯୦ ଦିନରୁ ଅଧିକ ସମୟ ହୋଇଥିଲେ ମଧ୍ୟ ଠିକରେ ହୋଇପାରିନି ଧାନ । ନିମ୍ନମାନର ବିହନ କାରଣରୁ ଅଧାରୁ ଅଧିକ କେଣ୍ଡାରେ ଧାନ ଫଳିନଥିବା ବେଳେ ଅଳ୍ପ କିଛି କେଣ୍ଡାରେ ଧାନ ହୋଇଛି l ଯାହାକୁ ନେଇ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ଚାଷୀ।

ଚଳିତବର୍ଷ  ସୋସାଇଟିକୁ ଅଳ୍ପ ସରକାରୀ ବିହନ ଆସିଥିବା ବେଳେ ଅଧିକାଂଶ ଚାଷୀ ବିହନ ପାଇବାରୁ ବଞ୍ଚିତ ହୋଇଥିଲେ। ତେଣୁ ବାଧ୍ୟ ହୋଇ ବାହାରୁ ବିହନ କିଣିଥିଲେ । ସେପଟେ ୧୫୦ ଦିନ ମଧ୍ୟରେ ଅମଳ ହେବା ନେଇ କମ୍ପାନୀ ତରଫରୁ କୁହାଯାଇଥିବା ବେଳେ ବିହନ ବୁଣିବାର ୯୦ ଦିନ ବିତିଯାଇଥିଲେ ବି ଧାନ କେଣ୍ଡା ଫାଙ୍କା । ବର୍ଷସାରା ସଂଘର୍ଷ କରୁଥିବା ଚାଷୀ ଏବେ କରିବ କ’ଣ ? କିଭଳି ଶୁଝିବେ ଋଣ ? କିପରି ଚଳାଇବେ ପରିବାର ? ସେନେଇ ଚିନ୍ତାରେ ଚାଷୀ । ସରକାରୀ ସହାୟତା ନମିଳିଲେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ l  କେତେବେଳେ ଅଦିନିଆ ବର୍ଷା ତ କେତେବେଳେ ବନ୍ୟଜନ୍ତୁ ଉପଦ୍ରବ ଚାଷୀଙ୍କ ନିଦ ହଜାଇଥିବାବେଳେ ଏବେ ନିମ୍ନମାନର ବିହନ ଚିନ୍ତା ବଢ଼ାଇଛି । ସରକାର ଏ ଦିଗରେ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।