ଓଡ଼ିଶାରେ ପୂରାଇଦେବୁନି ବାସି ଓ ନିମ୍ନମାନର ଅଣ୍ଡା !

  •  NECCର ମନୋମୁଖୀ କାର୍ଯ୍ୟ ଯୋଗୁଁ ଓଡ଼ିଶାର ଅଣ୍ଡା ଶିଳ୍ପ ପ୍ରଭାବିତ
  • ବାହାର ରାଜ୍ୟର ବାସି ଓ ନିମ୍ନମାନର ଅଣ୍ଡା ଆମଦାନୀ ଯୋଗୁଁ ଓଡିଶାର ଅଣ୍ଡା-ଶିଳ୍ପ ପ୍ରଭାବିତ
  • କ୍ଷତି ଯୋଗୁଁ ବନ୍ଦ ହେଉଛି ଗୋଟିଏ ପରେ ଗୋଟିଏ ଲେୟାର ଫାର୍ମ
  •  ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛି AOLFA
  • ଅନ୍ତଃ ରାଜ୍ୟ ତନଖି ଫାଟକରେ ଓଡ଼ିଶା ଭିତରକୁ ବାହାର ରାଜ୍ୟର ବାସି ଅଣ୍ଡା ନଛାଡିବାକୁ ଚେତାବନୀ

ଭୁବନେଶ୍ୱର, ଓଡ଼ିଶାର ଅଣ୍ଡା ବ୍ୟବସାୟ ଅତ୍ୟନ୍ତ ଦୁର୍ଦ୍ଦିନ ସ୍ଥିତିରେ ପହଞ୍ଚି ସାରିଥିବା ସୂଚନା ଦେଇଛି ଅଲ ଓଡ଼ିଶା ଲେୟାର ଫାର୍ମରସ୍ ଆସୋସିଏସନ (AOLFA) । ବ୍ୟବସାୟରେ ହେଉଥିବା କ୍ଷତିକୁ ଭରଣା କରିନପାରି ପାଖପାଖି ୧୨ରୁ ଅଧିକ ଅଣ୍ଡା ଉତ୍ପାଦନକାରୀ ଫାର୍ମ ବନ୍ଦ ହୋଇ ସାରିଲାଣି ଏବଂ ଅନେକ ଫାର୍ମରସ୍ ବନ୍ଦ ହେବା ପରିସ୍ଥିତିରେ ପହଞ୍ଚି ସାରିଲାଣି । ଆମ ରାଜ୍ୟର କୃଷି ଭିତ୍ତିକ ଅଣ୍ଡା ଉତ୍ପାଦନ ଶିଳ୍ପରେ ପତ୍ୟକ୍ଷ ଭାବେ ୫୦ହଜାର ଏବଂ ପରୋକ୍ଷ ଭାବେ ଏକ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଛନ୍ତି ।

କିନ୍ତୁ ଆଜିକୁ ପ୍ରାୟ ଦେଢ ବର୍ଷରୁ ଅଧିକ ଦିନ ହେଲାଣି କୁକୁଡା ଖାଦ୍ୟ ପ୍ରସ୍ତୁତି ହେଉଥିବା ବିଭିନ୍ନ ଉତ୍ପାଦନର ମୂଲ୍ୟ ଅତ୍ୟଧିକ ବୃଦ୍ଧି ହେଉଥିବା ଯୋଗୁଁ ଅଣ୍ଡାର ଉତ୍ପାଦନ ଦର ମଧ୍ୟ ତଦନୁଯାୟୀ ବୃଦ୍ଧି ପାଇଛି । ଏହି ପରିସ୍ଥିତିର ଫାଇଦା ନେଇ କିଛି ଅଣ୍ଡା ବ୍ୟବସାୟୀ ବାହାର ରାଜ୍ୟରୁ ୧୦ରୁ ୧୫ ଦିନର ବାସି ଓ ନିମ୍ନମାନର ଅଣ୍ଡାକୁ କମ୍‍ ଦରରେ ଆଣି ଆମ ରାଜ୍ୟର ଅଣ୍ଡା ବଜାରରେ ବିକ୍ରି କରୁଛନ୍ତି । ଏହା ସହିତ ଆମ ରାଜ୍ୟର ଅଣ୍ଡା ଉତ୍ପାଦନ କରୁଥିବା କୃଷକ ଭାଇମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଅଣ୍ଡା ବିକ୍ରି କରିବାପାଇଁ ବାଧ୍ୟ କରୁଛନ୍ତି ଯାହାକି ଓଡ଼ିଶାର ଚାଷୀ ଭାଇମାନଙ୍କ ଲାଗି ଏକ ଖରାପ ପରିସ୍ଥିତି ସୃଷ୍ଟି କରୁଛି ଏବଂ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବାକୁ ଏମାନେ ବାଧ୍ୟ ହେଉଛନ୍ତି ।

ସରକାରଙ୍କ ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମରେ ବାହାର ରାଜ୍ୟରୁ ଆମଦାନୀ ହେଉଥିବା ଅଣ୍ଡା ବଣ୍ଟନ ଦ୍ୱାରା ନିରୀହ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିବାର ସମ୍ଭାବନା ରହିଛି । କିନ୍ତୁ କିଛି ବ୍ୟବସାୟୀ ଉପରୋକ୍ତ ଭୟଙ୍କର ସ୍ଥିତିକୁ ଖାତିର ନକରି ନିଜର ଲାଭ ପାଇଁ ନିମ୍ନମାନର ଅଣ୍ଡାକୁ ବିକ୍ରି କରି ଚାଲିଛନ୍ତି । ଏହି ଅସାଧୁ ବ୍ୟବସାୟୀମାନଙ୍କୁ ଅଲ ଓଡ଼ିଶା ଲେୟାର ଫାର୍ମରସ୍ ଆସୋସିଏସନ (AOLFA) ପକ୍ଷରୁ ବାରମ୍ବାର ବାରଣ ସତ୍ତ୍ୱେ ସେମାନେ କର୍ଣ୍ଣପାତ କରୁନାହନାନ୍ତି ।

ଜାତୀୟ ଅଣ୍ଡା ସମନ୍ୱୟ କମିଟି (NECC) ସଂସ୍ଥା ଦ୍ୱାରା ସର୍ବଭାରତୀୟ ସ୍ତରରେ ଅଣ୍ଡାର ଦର ପ୍ରତିଦିନ ଧାର୍ଯ୍ୟ ହୋଇଥାଏ । କିନ୍ତୁ ଏହି ସଂସ୍ଥାରେ ସଭ୍ୟ ଥିବା କିଛି ଅସାଧୁ ଓ ଖଳ ପ୍ରକୃତିର ଲୋକ ନିଜର ସ୍ୱାର୍ଥ ପାଇଁ ଅଣ୍ଡା ଦରକୁ ନିଜର ନିୟନ୍ତ୍ରଣରେ ଏବଂ କମ୍‍ ଦରରେ ଧାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ବର୍ତ୍ତମାନ ରାଜ୍ୟର କୁକୁଡା ଚାଷୀମାନେ ଅଣ୍ଡାର ସର୍ବନିମ୍ନ ଉତ୍ପାଦନ ମୂଲ୍ୟ ପାଇପାରୁ ନାହାନ୍ତି । ଏହି ଜାତୀୟ ସଂସ୍ଥା NECCକୁ ଅଲ ଓଡ଼ିଶା ଲେୟାର ଫାର୍ମରସ୍ ଆସୋସିଏସନ ପକ୍ଷରୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ତାଙ୍କର ମନୋଭାବରେ କୌଣସି ପରିବର୍ତ୍ତନ ହେଉନାହିଁ ।

ସରକାରଙ୍କ ଠାରେ ଆମର ବିନିତ ଅନୁରୋଧ ଯେ ରାଜ୍ୟ ସରକାର NECCର ମନମୁଖୀ କାର୍ଯ୍ୟ ଉପରେ କଟକଣା ଲଗାଇ କିଛି ପରିବର୍ତ୍ତନ ପାଇଁ ଚେଷ୍ଟା କରନ୍ତୁ ଏବଂ ଆମ ରାଜ୍ୟରୁ ଉତ୍ପାଦନ ହେଉଥିବା ସତେଜ ଓ ତାଜା ଅଣ୍ଡାକୁ ଓଡିଶାର ମହିଳା, ଶିଶୁ ଓ ସାଧାରଣ ଖାଉଟି ଯେମିତି ପାଇପାରିବେ ତାହା ଉପରେ ବିଶେଷ ନୀତି ନିର୍ଦ୍ଧାରଣ କରନ୍ତୁ । ଏହା ନହେଲେ ଆଗାମୀ କିଛିଦିନ ମଧ୍ୟରେ ଓଡିଶା ସରକାରଙ୍କ ପ୍ରୋତ୍ସାହନରେ ଗଢି ଉଠିଥିବା ଅଣ୍ଡା ଶିଳ୍ପର ବିଲୋପ ହୋଇଯିବ ଏବଂ ଏଥିରେ ନିୟୋଜିତ ଲକ୍ଷ ଲକ୍ଷ ଲୋକ କାମଧନ୍ଦା ହରାଇ ବେକାର ହୋଇଯିବେ ।

ଏଭଳି ସମସ୍ୟାର ନିରାକରଣ ପାଇଁ କୁକୁଡା ଚାଷୀମାନଙ୍କ ସଂଗଠନ (AOLFA) ତରଫରୁ ନିବେଦନ କରାଯାଇଛି ଯେ ସମସ୍ତ ଅଣ୍ଡା ବ୍ୟବସାୟୀ ଆମ ରାଜ୍ୟରୁ ଉତ୍ପାଦିତ ହେଉଥିବା ସତେଜ ଓ ତାଜା ଅଣ୍ଡାକୁ ବ୍ୟବହାର କରନ୍ତୁ । ଅନ୍ୟ ରାଜ୍ୟରୁ ଆସୁଥିବା ବାସି ଓ ନିମ୍ନମାନର ଅଣ୍ଡା ଆମଦାନୀ ବନ୍ଦ କରନ୍ତୁ । ନଚେତ ଅଣ୍ଡା ଉତ୍ପାଦନ କରୁଥିବା ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ସହିତ ଖୁବଶୀଘ୍ର ରାଜ୍ୟର ସମସ୍ତ ଆନ୍ତଃରାଜ୍ୟ ତନଖି ଫାଟକରେ ଓଡିଶା ଭିତରକୁ ଅଣ୍ଡା ଆମଦାନୀକୁ ବନ୍ଦକରି ଦେବାକୁ ବାଧ୍ୟ ହେବେ । ଏହାଛଡା ସଂଗଠନ ପକ୍ଷରୁ ରାଜ୍ୟବାସୀଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ମଧ୍ୟ ବାହାର ରାଜ୍ୟରୁ ଆସୁଥିବା ନିମ୍ନମାନର ଅଣ୍ଡା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତୁ ଏବଂ ରାଜ୍ୟରୁ ଉତ୍ପାଦିତ ସତେଜ ଓ ତାଜା ଅଣ୍ଡାକୁ ବ୍ୟବହାର କରି ନିରୋଗ ଓ ସୁସ୍ଥ ରୁହନ୍ତୁ ।

Leave a Reply