ନନ୍ଦିଘୋଷ ବ୍ୟୁରୋ: ସୁପର ସଣ୍ଡେରେ ସୁପର ମୁକାବିଲା । ଆଜି ICC ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ର ଫାଇନାଲ। ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ହେବ ଟକ୍କର । ନାଭି ମୁମ୍ବାଇର ଡିୱାଇ ପାଟିଲ ସ୍ପୋର୍ଟ୍ସ ଏକାଡେମୀରେ ଅପରାହ୍ଣ ୩ଟାରେ ଖେଳାଯିବ ମ୍ୟାଚ । ଭାରତ କିମ୍ବା ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ମହିଳା ବିଶ୍ୱକପ୍ ଜିତି ନାହାନ୍ତି । ତେଣୁ ଘରୋଇ ମାଟିରେ ମ୍ଯାଚ ଜିତି ଇତିହାସ ରଚିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ୩୦ ତାରିଖରେ ୭ ଥର ବିଜେତା ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇ ଭାରତ ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ।
ଜେମିମା ରଡ୍ରିଗ୍ସଙ୍କ ପ୍ରଥମ ବିଶ୍ବକପ୍ ଶତକ ସହ ତାଙ୍କ କ୍ୟାରିୟର୍ ଶ୍ରେଷ୍ଠ ପାଳି ଜରିଆରେ ବିଜୟଲାଭ କରିଛି ଭାରତ। ଅଷ୍ଟ୍ରେଲିଆର ୩୩୮ ରନକୁ ପଛରେ ପକାଇ ଭାରତ ମହିଳା ଟିମ୍ ଦିନିକିଆ ଇତିହାସରେ ସର୍ବୋଚ୍ଚ ପଶ୍ଚାତ୍ଧାବନର ରେକର୍ଡ କରିଛି । ତେଣୁ ଆଜିର ମ୍ୟାଚ କଡ଼ା ଟକ୍କର ହେବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ଏଥର ବିଶ୍ୱକପ୍ ଜିତିବା ଦଳ ଉପରେ ହେବ ଟଙ୍କା ବର୍ଷା । ମହିଳା ବିଶ୍ୱକପ୍ର ତ୍ରୟୋଦଶ ସଂସ୍କରଣର ବିଜେତା ଦଳକୁ ୪.୪୮ ମିଲିୟନ ଡଲାର, ପ୍ରାୟ ୪୦ କୋଟି ଟଙ୍କା ମିଳିବ । ସେହିଭଳି ରନର୍ସଅପ ଦଳକୁ ମିଳିବ ୨୦ କୋଟି ଟଙ୍କା ।

