ନନ୍ଦିଘୋଷ ବ୍ୟୁରୋ: ତମ ପାଇଁ ମୁଁ ମୋ ସ୍ତ୍ରୀକୁ ମାରିଦେଲି। ଏହି ମେସେଜ ଜଣେ ଡାକ୍ତର ପଠାଇଥିଲେ। ଜଣେ ଦୁଇ ଜଣ ଝିଅଙ୍କୁ ନୁହେଁ, ଅନେକ ଝିଅଙ୍କୁ ଏମିତି ମେସେଜ ପଠାଇଥିଲେ। ସେହି ଝିଅମାନଙ୍କ ମଧ୍ୟରେ ଥିଲେ ଜଣେ ଚିହ୍ନାଜଣା ଝିଅ, ଯିଏକି ସଂପୃକ୍ତ ଡାକ୍ତରଙ୍କ ପ୍ରେମ ନିବେଦନକୁ ଆଗରୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ମେସେଜକୁ ଜଣାପଡ଼ିଥିଲା ତାଙ୍କର କାରନାମା। ଏହା ପରେ ସଂପୃକ୍ତ ଡାକ୍ତରଙ୍କୁ ଗିରଫ କରିଛି ବେଙ୍ଗଳୁରୁ ପୋଲିସ। ଅଭିଯୁକ୍ତ ଜଣକ ହେଲା ଡାକ୍ତର ମହେନ୍ଦ୍ର ରେଡ୍ଡି । ସେ ଜଣେ ସର୍ଜନ। କିଛି ଦିନ ତଳେ ତାଙ୍କର ଡାକ୍ତର ପତ୍ନୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଅଭିଯୋଗ ଅନୁସାରେ ନିଶା ଇଂଜେକସନ ଦେଇ ନିଜ ପତ୍ନୀଙ୍କୁ ମାରି ଦେଇଥିଲେ ମହେନ୍ଦ୍ର ରେଡ୍ଡି।
ପୋଲିସର ସୂଚନା ଅନୁସାରେ ପତ୍ନୀଙ୍କ ମୃତ୍ୟୁ ପରେ ଏକତରଫା ଭଲ ପାଉଥିବା ପୂର୍ବର ସେ ଝିଅ ସହିତ ସଂପର୍କ ସ୍ଥାପନ କରିବାକୁ ବିକଳ ହୋଇଥିଲେ ଡାକ୍ତର। ସେଥିରୁ ତାଙ୍କର ଷଡ଼ଯନ୍ତ୍ର ଧରାପଡ଼ିଥିଲା। ଡାକ୍ତର ଦମ୍ପତି ଆଗରୁ ଗୋଟିଏ ହସପିଟାଲରେ କାମ କରୁଥିଲେ। ୨୦୨୪ ମେ ରେ ସେମାନେ ବାହା ହୋଇଥିଲେ। ଗତ ଏପ୍ରିଲ ୨୩ ତାରିଖରେ ସନ୍ଦେହଜନକ ଅବସ୍ଥାରେ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ତଦନ୍ତ ଦାବିବାରୁ ପୁଙ୍ଖାନୁପୁଙ୍ଖ ଭାବେ ପୋଷ୍ଟମର୍ଟମ କରାଯାଇଥିଲା। ଶରୀରରୁ ମିଳିଥିଲା ନିଶା ଇଂଜେକସନ। ଏହା ପରେ ସ୍ଵାମୀକୁ ଗିରଫ କରିଥିଲା ପୋଲିସ ।

