ନନ୍ଦିଘୋଷ ବ୍ୟୁରୋ : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଆଜି ଶୀଜିଉଙ୍କ ରାଜାଧିରାଜ ବା ସୁନା ବେଶ । ଦ୍ବାର ଫିଟିବା ପରେ ମଙ୍ଗଳଆଳତି, ମଇଲମ, ଅବକାଶ ଆଦି ନୀତି କରାଯାଇ ମହାପ୍ରଭୁଙ୍କ ସୁନାବେଶ ସମ୍ପନ୍ନ କରାଯାଉଛି । ବିବିଧ ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ହରିଡ଼ା ମାଳି, ବାହାଡା ମାଳି, ଶ୍ରୀପୟର, ଶ୍ରୀଭୁଜ, କିରିଟ, କୁଣ୍ଡଳ, ଘାଗଡା ମାଳି, ବାଘ ନଖ ମାଳି, ଆଦି ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ସାଆନ୍ତେଙ୍କ ଦୁର୍ଲଭ ଦର୍ଶନ କରି କୃତାର୍ଥ ହେବେ ଭକ୍ତ । ରାଜରାଜେଶ୍ୱର ବେଶରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଜନ୍ମଜନ୍ମାନ୍ତର ପାପରୁ ମୁକ୍ତି ମିଳିବା ସହ ଐଶ୍ବର୍ଯ୍ୟ ପ୍ରାପ୍ତି ହେବାର ବିଶ୍ବାସ ରହିଛି । ଜନସମାଗମକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ ରହିଛି ।

