୫୦୦ ଦିନର ବିଜେପି ସରକାର । କେବଳ ଦେଇଛି ଧୋକା ଆଉ ଧୋକା । ବିଜୁ ବାବୁ ନୂଆପଡ଼ା ଜିଲ୍ଲା ଗଢ଼ିଥିଲେ। ମୋ ସରକାର ସମୟରେ ବିକାଶ ସହ ଯୋଡ଼ି ହୋଇଥିଲା ଜିଲ୍ଲା। ଆଜି ପୁଣି ଥରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଉପନିର୍ବାଚନରେ ବିପୁଳ ସଂଖ୍ୟାରେ ଜିତାଇବାକୁ ନିବେଦନ କରି ନୂଆପଡ଼ା ପରକୋଡ଼ରୁ ପୁଣି ଥରେ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। କହିଛନ୍ତି, ମୁଁ ରାଜୁ ଭାଇଙ୍କୁ ମୋ କ୍ୟାବିନେଟରେ ମନ୍ତ୍ରୀ କରିଥିଲି। ନୂଆପଡ଼ାର ବିକାଶ ପାଇଁ ସବୁ ପ୍ରକାର ସହଯୋଗ ଦେଇଥିଲି। ବିଜୁ ଜନତା ଦଳ କଥା ନୁହେଁ, କାମରେ ବିଶ୍ବାସ କରେ। ବିଜେଡି ସରକାର ସମୟରେ ଓଡ଼ିଶାରେ ବିକାଶର ନୂଆ ଯୁଗ ଆରମ୍ଭ ହୋଇଥିଲା।
ବିଜେଡି ସରକାର ସମୟରେ ନୂଆପଡ଼ାର ସର୍ବାଙ୍ଗୀନ ବିକାଶ ପାଇଁ ଉଦ୍ଯମ କରିଥିଲେ ନବୀନ ସରକାର। ହିସାବ ଦେଇ ନବୀନ କହିଥିଲେ, ନୂଆପଡ଼ାରେ ବିଜୁ ଏକ୍ସପ୍ରେସ ୱେ, ଜଳସେଚନ, ଶିକ୍ଷା, ସ୍ବାସ୍ଥ୍ୟ, ପିଇବା ପାଣି ଓ ଆଦିବାସୀ କଲ୍ୟାଣ ପରି ସବୁ କ୍ଷେତ୍ରରେ ବିକାଶ ହୋଇଥିଲା। ଏବେ ବିକାଶ ପୂରା ବନ୍ଦ। ମିଛ ପ୍ରଚାରରେ ବିକାଶ ହୁଏ ନାହିଁ। ଖାଲି ରଙ୍ଗ ମାରିଲେ ବିକାଶ ହୁଏନି। ନିର୍ବାଚନ ସମୟରେ ସରକାର ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇ ଲୋକଙ୍କୁ ନବୀନ ପଚାରିଥିଲେ ପ୍ରଶ୍ନ। ଆପଣମାନେ ନିଜେ କୁହନ୍ତୁ। ୫୦୦ ଦିନରେ ଏ ସରକାର ଆପଣଙ୍କ ପାଇଁ କଣ କରିଛନ୍ତି? ୩୦୦ ୟୁନିଟ ମାଗଣା ବିଜୁଳି ମିଳିଛି କି? ୩୫୦୦ ଟଙ୍କା ପେନସନ ମିଳିଛି କି? ମିଶନ ଶକ୍ତି ମାଙ୍କୁ ଋଣ ମିଳିଲା କି? କଟନି ଛଟନି ବନ୍ଦ ହେଲା କି? ତେବେ କଣ ମିଳିଛି। ମିଳିଛି ତ କେବଳ ଡବଲ ଧୋକା ଧୋକା । ଆମର ବିଏସକେୱାଇ ସମସ୍ତଙ୍କୁ ସୁବିଧା ଦେଉଥିଲା। କିନ୍ତୁ ଆୟୁଷ୍ମାନ କାର୍ଡରେ କେବଳ ଟେନସନ ମିଳୁଛି।
ନବୀନଙ୍କ ଆଜି ଦ୍ବିତୀୟ ଥର ପାଇଁ ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ଯାଇଥିଲେ। ଏହା ପୂର୍ବରୁ ୩ ତାରିଖରେ କୋମନାରେ ନବୀନଙ୍କ ସଭାକୁ ଭଣ୍ଡୁର କରିବା ପାଇଁ ଉଦ୍ଯମ ହୋଇଥିଲା। ଏ ନେଇ ଅଭିଯୋଗ କରିଛନ୍ତି ଖୋଦ ନବୀନ ପଟ୍ଟନାୟକ। ପରକୋଡ଼ ସାଧାରଣ ସଭାରେ ଭୋଟରଙ୍କୁ ସମ୍ବୋଧନ କଲାବେଳେ ଏ ନେଇ କ୍ଷୋଭ ପ୍ରକାଶ କରିଥିଲେ ବିଜେଡି ସୁପ୍ରିମୋ। କହିଥିଲେ, ମୁଁ ୩ ତାରିଖରେ କୋମନା ଆସିଥିଲି। ମୋ ମିଟିଂରେ କେମିତି ଅଧିକ ଲୋକ ଆସିପାରିବେନି ସେଥିପାଇଁ ସବୁ ପ୍ରକାର ଯୋଜନା ହୋଇଥିଲା। ଭୋଟ ଚୋରି କରିକି ସରକାର ଗଢ଼ିବେ। ପ୍ରାର୍ଥୀ ବି ଚୋରି କରିପାରିବେ, କିନ୍ତୁ ଭୋଟ ପାଇବେ ନାହିଁ। କୋମନା ମିଟିଂରେ ଯେଉଁ ଦୁଃଖ ଓ ଅସନ୍ତୋଷ ଦେଖିଥିଲି ଆଜି ବି ସେୟା ଦେଖିଛି। ଆପଣ ସମସ୍ତେ ଜାଣନ୍ତି ଆପଣଙ୍କ ସହ ବିଜେପି ଓ ମୋ ସହ କେମିତି ବେଇମାନି କରିଛି। ଏଇଥିପାଇଁ ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆମେ ପ୍ରାର୍ଥୀ କରିଛୁ। ଆଉ ନୂୁଆପଡ଼ାରେ ରହି ଆପଣଙ୍କ ସେବା କରିବାକୁ କହିଛି। ଆପଣଙ୍କୁ ଅନୁରୋଧ ୧୧ ତାରିଖରେ ଭୋଟରେ ଏହାର ଜବାବ ଦେବେ। ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ॥

