ଲୋକଙ୍କ ଘରେ ଘରେ ଶୋଭା ପାଏ ଦୟାଲ ମଉସାଙ୍କ ହାତଗଢ଼ା ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି
ନନ୍ଦିଘୋଷ ବ୍ୟୁରୋ: ବୟସର ଅପରାହ୍ଣ ଥିଲେ ସୁଦ୍ଧା ଥକିନି ହାତ । କାର୍ଡବୋର୍ଡ, କାଗଜ ଓ ଅଦରକାରୀ ପ୍ଲାଷ୍ଟିକ ସାମଗ୍ରୀକୁ ବ୍ୟବହାର କରି ତିଆରି କରୁଛନ୍ତି ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି । ବ୍ୟବସାୟ ପାଇଁ ନୁହେଁ ବରଂ ସମସ୍ତଙ୍କୁ ଦାନ କରିବା ପାଇଁ କରିଛନ୍ତି ପଣ । ବାଲେଶ୍ବର ରେମୁଣା ଅଞ୍ଚଳରେ ପ୍ରତ୍ୟେକ ଘରେ ଶୋଭା ପାଏ ଦୟାଲ ଚନ୍ଦ୍ରଙ୍କ ହାତଗଢ଼ା ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ।
ଅଦରକାରୀ ବର୍ଜ୍ୟବସ୍ତୁ ବ୍ୟବହାର କରି ଦୟାଲ ମଉସା ତିଆରି କରୁଛନ୍ତି ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି । ବୟସ ଅଣାଅସି, ଚମ ଧୁଡୁ ଧୁଡୁ ଦେହ । ହେଲେ ଥକି ନାହିଁ ହାତ କି ଥକି ନାହିଁ ଆଖି । ବୃଦ୍ଧ ବୟସରେ ତାଙ୍କ ଜୀବନ ଜଗତର ନାଥଙ୍କ ପାଇଁ ଉତ୍ସର୍ଗୀକୃତ । ବର୍ଜ୍ୟବସ୍ତୁରୁ ତିଆରୁ କରିଛନ୍ତି ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି । କାର୍ଡ ବୋର୍ଡ, ପ୍ଲାଷ୍ଟିକ ବୋତଲ, ଖବର କାଗଜ ଓ ବ୍ୟବହାର ହୋଇଥିବା ଖାତା ଇତ୍ୟାଦିକୁ ସେ ସମ୍ବଳ କରିଛନ୍ତି । ଚାକିରିରୁ ଅବସର ପରେ ଆଦରି ନେଇଛନ୍ତି ତ୍ୟାଗଭାବ ।
ସେବା ମନୋଭାବ ରଖି ବେଶ ଖୁସି ଅନୁଭବ କରନ୍ତି ଦୟାଲ । ରେମୁଣା ଅଞ୍ଚଳରେ ଘରେ ଘରେ ଦୟାଲଙ୍କ ହାତ ତିଆରି ମୂର୍ତ୍ତି ପୂଜା ପାଇଥାଏ । ପେନସନ ଟଙ୍କାରେ ସେ ରଙ୍ଗ ଓ ତୂଳୀ କିଣି ଏହି ମୂର୍ତ୍ତି ସବୁ ତିଆରି କରନ୍ତି । ବିଭିନ୍ନ ମନ୍ଦିର ଅନୁଷ୍ଠାନ ଓ ଲୋକଙ୍କୁ ମୂର୍ତ୍ତି ଦାନ କରି ପାଆନ୍ତି ଆନନ୍ଦ ।

