ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ନୂଆପଡ଼ାବାସୀଙ୍କୁ ବିଜେଡି ସୁପ୍ରିମୋଙ୍କ ଭିଡିଓ ବାର୍ତ୍ତା। ନୂଆପଡ଼ା ନିର୍ବାଚନମଣ୍ଡଳୀବାସୀଙ୍କୁ ଜୁହାର ଜଣାଇଛନ୍ତି ନବୀନ। ନୂଆପଡ଼ା, ଖରିଆର ରୋଡ, କୋମନା ସଭାରେ ବହୁ ସଂଖ୍ୟାରେ ସେମାନେ ସାମିଲ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ଲାଗି ସେ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି- ସ୍ନେହାଙ୍ଗିନୀ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା। ସ୍ନେହାଙ୍ଗିନୀଙ୍କୁ ନୂଆପଡ଼ା ଉପନିର୍ବାଚନ ଲାଗି ମୁଁ ପ୍ରାର୍ଥୀ କରିଛି। ନୂଆପଡ଼ାରେ ରହି ସେବା କରିବା ଲାଗି ମୁଁ ତାଙ୍କୁ ନିର୍ଦ୍ଦେଶ ଦେଇଛି। ସ୍ନେହାଙ୍ଗିନୀ ସର୍ବଦା ଆପଣଙ୍କ ସୁଖ ଓ ଦୁଃଖର ସାଥୀ ହୋଇ ରହିବେ। ରାଜ୍ୟରେ ବିଜେପି ସରକାର ଆସିବା ଦିନରୁ ମାଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି। ମିଶନ ଶକ୍ତି ମାଆମାନେ ହଇରାଣ ହେଉଛନ୍ତି। ଓଡ଼ିଶାର ସୁନାମ ନଷ୍ଟ ହେଉଛି। ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ କରିଦେଲେ। ଫଳରେ ରାଜ୍ୟବାସୀ ଦୁର୍ଦ୍ଦଶାର ଶିକାର ହେଉଛନ୍ତି। ରାଜ୍ୟ ସରକାର ମହିଳା ଓ ଆଦିବାସୀ ବିରୋଧୀ। ବିକାଶର ବିରୋଧୀ। ଆପଣମାନଙ୍କ ସହଯୋଗରେ ବିଜେପିର ପରାଜୟ ନୂଆପଡ଼ାରୁ ଆରମ୍ଭ ହେବ। ଆସନ୍ତା ୧୧ରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଏହା ସହ ଶେଷ ନିଃଶ୍ବାସ ଥିବା ଯାଏ ସେ ଓଡ଼ିଶା ମା ଓ ରାଜ୍ୟବାସୀଙ୍କ ସେବା କରିଚାଲିବେ ବୋଲି କହିଛନ୍ତି ବିରୋଧୀ ଦଳ ନେତା।

