ରାଉରକେଲା NIT ସହ ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ୩ ଦିନ ଧରି ଅନୁଷ୍ଠିତ ହେଉଥିବା ବାର୍ଷିକ ଟେକ୍ ଫେଷ୍ଟ ଇନୋଭିଜନ 2025 ଉଦଯାପିତ ହୋଇ ଯାଇଛି । NIT ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଉରକେଲା NIT ଛାତ୍ରଛାତ୍ରୀଙ୍କ ସହ ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜର ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ବାରା ଏରୋପିକ୍ସ, ରୋବୋ ସୁମୋ ୱାର, ମାଜିକ୍ ହଣ୍ଟସ, କାର୍ ଆଣ୍ଡ ବାଇକ୍ ଶୋ, Sci-Biz କ୍ବିଜ୍, ହାଇଡ୍ରୋ ହଣ୍ଟ, ସହିତ 3D ପ୍ରିଣ୍ଟିଂ ଓ ଡ୍ରୋନ୍ ତିଆରି କରି ପ୍ରଦର୍ଶିତ ହୋଇଥିଲା । ଏହାସହ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏରୋପ୍ଲେନ ମଡେଲିଙ୍ଗ ପ୍ରତିଯୋଗିତାରେ ପ୍ରଦର୍ଶିତ ଏରୋପ୍ଲେନ ମଡେଲ ସମସ୍ତଙ୍କ ଆକର୍ଷଣ ସାଜିଥିଲା ।
ଓଡ଼ିଶା, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ମଧ୍ୟପ୍ରଦେଶ, ବିହାର ଓ ଝାରଖଣ୍ଡ ସହିତ ଦେଶର ବିଭିନ୍ନ ରାଜ୍ୟର ଏକ ହଜାରରୁ ଅଧିକ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ଏଥିରେ ଲାଇଭ୍ ଡେମୋ ସହ ଚିତ୍ରକଳା ପ୍ରଦର୍ଶନୀ କରିଥିଲେ । NIT ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଓ ପ୍ରଯୁକ୍ତିକ ଉତ୍କୃଷ୍ଟତାର ଉତ୍ସବ ଇନୋଭିଜନ 2025ରେ ଯୋଗଦେଇ ବେଶ ଉତ୍ସାହିତ ଥିଲେ ଛାତ୍ରଛାତ୍ରୀ । ରାଉରକେଲା NIT ର ଛାତ୍ର କାର୍ଯ୍ୟକଳାପ କେନ୍ଦ୍ର ଟେକ୍ନିକାଲ ସୋସାଇଟି ଦ୍ୱାରା ଏହି ତିନି ଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

