spot_img

Latest Posts

ବାୟୁ ପ୍ରଦୂଷଣ ପାଇଁ ରେଡ ଜୋନରେ ଦିଲ୍ଲୀ ; ପ୍ରଦୂଷଣ ବିରୋଧରେ ଇଣ୍ଡିଆ ଗେଟ ଆଗରେ ଦିଲ୍ଲୀବାସୀଙ୍କ ପ୍ରତିବାଦ

ନନ୍ଦିଘୋଷ ବ୍ୟୁରୋ : ବାୟୁ ପ୍ରଦୂଷଣ ପାଇଁ ରେଡ ଜୋନରେ ଦିଲ୍ଲୀ। ୬୦୦ରେ ପହଞ୍ଚିଛି ବାୟୁ ଗୁଣବତ୍ତା ମାନ । ଏନେଇ  ଅନେକ ଦିଲ୍ଲୀ ବାସିନ୍ଦା ଇଣ୍ଡିଆ ଗେଟ ଆଗରେ ଏକାଠି ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସହରର ନିରନ୍ତର ବାୟୁ ପ୍ରଦୂଷଣ ସଙ୍କଟକୁ ରୋକିବା ପାଇଁ ସରକାର ଠୋସ୍ ନୀତି ଆଣିବାକୁ ଦାବି କରିଛନ୍ତି । ଆନ୍ଦୋଳନକାରୀଙ୍କୁ ପୋଲିସ ହଟାଇବା ବେଳେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି।ବଳପୂର୍ବକ ପୋଲିସ ଆନ୍ଦୋଳନକାରୀଙ୍କୁ ହଟାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ବର୍ଷ ସାରା ଦିଲ୍ଲୀରେ ବାୟୁ ପ୍ରଦୂଷଣ ରହୁଛି । ଦୀପାବଳି ପରେ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି । ହେଲେ ସରକାର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ପିଲା ଓ ବୃଦ୍ଧ-ବୃଦ୍ଧା ଅଧିକ ଯନ୍ତ୍ରଣା ଭୋଗୁଛନ୍ତି । ଅଧିକାଂଶ ଶିଶୁ ଫୁସଫୁସ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି  । ଏହି ଆନ୍ଦୋଳନରେ ବହୁ ବୁଦ୍ଧିଜୀବୀ, ନେତା ଓ ଯୁବଗୋଷ୍ଠୀ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ଏହି ପ୍ରଦୂଷଣ ବିରୋଧୀ ବିକ୍ଷୋଭରେ  ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟମାନେ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ବସ୍ ଏବଂ ରେଳ ଷ୍ଟେସନ ପରିସରରୁ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ ମଧ୍ୟ ସୁପ୍ରିମକୋର୍ଟଙ୍କ ନୂତନ ଆଦେଶକୁ ବିରୋଧ କରିଥିଲେ। ସେମାନେ ‘ଆମେ ନ୍ୟାୟ ଚାହୁ’ ଏବଂ ‘ଆମେ ସ୍ୱାଧୀନତା ଚାହୁ’ ସ୍ଲୋଗାନ ମଧ୍ୟ ଦେଇଥିଲେ। ବିକ୍ଷୋଭକାରୀଙ୍କ ହାତରେ ବ୍ୟାନର ଏବଂ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଥିଲା। ଜଣେ ବିକ୍ଷୋଭକାରୀ କହିଛନ୍ତି ଯେ ସରକାର ପଶୁମାନଙ୍କୁ ହଟାଇ ଦେଉଛନ୍ତି, ଯେତେବେଳେ ପ୍ରଦୂଷଣ ହଟାଇବା ଉଚିତ୍। ପ୍ରଦୂଷଣ ସଙ୍କଟ ଭୟାନକ ସ୍ଥିତିରେ ପହଞ୍ଚିଥିଲେ ମଧ୍ୟ ସରକାର ଏହାକୁ ଲୁଚାଉଛନ୍ତି ଏବଂ ଦିଲ୍ଲୀରେ ପ୍ରଦୂଷଣ ମୃତ୍ୟୁ ବଢ଼ିଚାଲିଛି ବୋଲି କେତେକ ସାମାଜିକକାର୍ଯ୍ୟକର୍ତ୍ତା କହିଛନ୍ତି।

ସୂଚନାଯୋଗ୍ୟ, ଆଜି ଦିଲ୍ଲୀ ଓ ଏହାର ନିକଟବର୍ତ୍ତୀ ଅଂଚଳର ବିଭିନ୍ନ ସ୍ଥାନରେ ଏକ୍ୟୁଆଇ ୪୦୦ ଅତିକ୍ରମ କରିଛି। ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ କର୍ତ୍ତୃପକ୍ଷ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ବନ୍ଦ କରିବା ଦୁର୍ଭାଗ୍ୟଜନକ ବୋଲି ବିରୋଧୀ ଦଳ ନେତାମାନେ କହିଛନ୍ତି।  କୃତ୍ରିମ ବର୍ଷା କରାଇବାରେ ସରକାରଙ୍କ ବିଫଳତା ଏବଂ ଏ ବାବଦ ବ୍ୟୟ ଉପରେ ମଧ୍ୟ ବିରୋଧୀ ଦଳମାନେ ପ୍ରଶ୍ନ ଉଠାଇଛନ୍ତି। ଇଣ୍ଡିଆ ଗେଟ୍‌ରେ ବିକ୍ଷୋଭରେ  ସାମିଲ ହୋଇଥିବା ପରିବେଶବିତ୍ ଭବରିନ୍ କାନ୍ଧାରୀ କହିଛନ୍ତି, ‘ଆମେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମାଗିଥିଲୁ, କିନ୍ତୁ ଆମର ଅନୁରୋଧ ଗ୍ରହଣ କରାଯାଇ ନାହିଁ।  ପ୍ରଦୂଷଣ ଉଦ୍‌ବେଗଜନକ ସ୍ତରରେ ପହଞ୍ଚିଛି କିନ୍ତୁ ଜିଆର୍‌ଏପି(ଗ୍ରେଡେଡ ରେସ୍‌ପନ୍ସ ଆକ୍ସନ ପ୍ଲାନ୍‌) ପଦକ୍ଷେପ କାର୍ଯ୍ୟକାରୀ ହୋଇନାହିଁ ବୋଲି ସେ କହିଛନ୍ତି।

 

Latest Posts

Don't Miss