ନନ୍ଦିଘୋଷ ବ୍ୟୁରୋ : ଜମ୍ମୁ-କଶ୍ମୀର ପୋଲିସ୍ ଅନନ୍ତନାଗ ଜିଲ୍ଲାର ଜଣେ ଏମବିବିଏସ୍ ଡାକ୍ତରଙ୍କୁ ଗିରଫ କରିଛି। ଏହି ଡାକ୍ତର ଉତ୍ତରପ୍ରଦେଶର ସହରାନପୁରରେ ଅମ୍ବାଲା ରୋଡ୍ ସ୍ଥିତ ଫେମସ୍ ନାମକ ଏକ ହସ୍ପିଟାଲରେ ଚାକିରି କରୁଥିଲେ। ଡା. ଆଦିଲ ଅହମଦ ଫରିଦାବାଦରେ ୩୫୦ କିଲୋ ଆରଡିଏକ୍ସ ଲୁଚାଇ ରଖିଥିଲେ। ତାହା ମଧ୍ୟ ଜବତ ହୋଇଛି।
ଡାକ୍ତର ନୁହେଁ ଆତଙ୍କବାଦୀ
ଉତ୍ତରପ୍ରଦେଶର ସହରାନପୁରରେ ଜମ୍ମୁ-କଶ୍ମୀର ପୋଲିସ୍ ଡା. ଆଦିଲ ଅହମଦକୁ ଗିରଫ କରିଛି। ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦଙ୍କ ସମର୍ଥନରେ ପୋଷ୍ଟର ଲଗାଇବା ଅଭିଯୋଗରେ ପୋଲିସ୍ ତାଙ୍କୁ ଗିରଫ କରିଥିଲା। ଶ୍ରୀନଗର ପୋଲିସ୍ ସହରର ବିଭିନ୍ନ ଅଞ୍ଚଳରେ ଜୈଶ-ଏ-ମହମ୍ମଦଙ୍କ ପ୍ରଚାର ପୋଷ୍ଟର ପାଇବା ପରେ ଏକ ମାମଲା ଦାୟର କରିଥିଲା। ପୋଲିସ୍ ଆଦିଲକୁ ଧରିବା ସମୟରେ କଳ୍ପନା କରିନଥିଲା ଯେ,ସେମାନେ ଏଭଳି ଗୋଟିଏ ବଡ଼ ମାଛକୁ ଧରୁଛନ୍ତି ଯାହା ପାଖରେ ୩୫୦ କିଲୋ ଆରଡିଏକ୍ସ ଅଛି । ଯିଏ ଗୋଟିଏ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପ୍ଲାନିଂ କରୁଛି ।
ଆଳୁ ଖୋଳୁ ଖୋଳୁ ମହାଦେବ
ଗତ କିଛି ଦିନରେ ଶ୍ରୀନଗରର ଅନେକ ଅଞ୍ଚଳରେ ଜୈଶ ଏ ମହମ୍ମଦଙ୍କ ପୋଷ୍ଟର ମିଳିଥିଲା। ପୋଲିସ୍ ଏହି ପୋଷ୍ଟର ଲଗାଇଥିବା ଲୋକଙ୍କ ଖୋଜ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍ ଯାଞ୍ଚ କଲାବେଳେ ଏଥିରେ ଜଣେ ବ୍ୟକ୍ତି ଦେଖାଯାଇଥିଲା। ପୋଲିସ୍ ସେହି ବ୍ୟକ୍ତିକୁ ଖୋଜିବା ଆରମ୍ଭ କରିଥିଲା । ତଦନ୍ତରୁ ଡାକ୍ତର ଆଦିଲର ନାମ ସାମ୍ନାକୁ ଆସିଥିଲା।
ଏହିପରି ପୋଲିସ୍ ଡା. ଆଦିଲ ପାଖରେ ପହଞ୍ଚିଲା
ପୋଲିସ୍ ଡା. ଆଦିଲଙ୍କ ବିଷୟରେ ସୂଚନା ଖୋଜିଲା ତ ଜଣାପଡ଼ିଲା ଯେ ସେ ଅନନ୍ତନାଗର ବାସିନ୍ଦା ଡା. ଆଦିଲ ଅହମଦ। ପୋଲିସ୍ ଅନନ୍ତନାଗରୁ ଜାଣିଲା ଯେ ଡା. ଆଦିଲ ସହରାନପୁରର ଏକ ଘରୋଇ ହସ୍ପିଟାଲରେ ଚାକିରି କରୁଛନ୍ତି। ପୋଲିସ୍ ଏଠାରେ ଥିବା ପୋଲିସ୍ ସହ ଯୋଗାଯୋଗ କରି ଅମ୍ବାଲା ରୋଡ୍ ସ୍ଥିତ ଘରୋଇ ହସ୍ପିଟାଲରେ ଚଢ଼ାଉ କରି ଡା. ଆଦିଲ ଅହମଦଙ୍କୁ ଅଟକାଇଲା।
ହନିମୁନରେ ଯାଉଥିଲା,ଗିରଫ ହେଲା
ଡା. ଆଦିଲଙ୍କୁ ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା, ଯେଉଁଠାରୁ ଶ୍ରୀନଗର ପୋଲିସ୍ ଟ୍ରାନଜିଟ୍ ରିମାଣ୍ଡ ପାଇଥିଲା। ପୋଲିସ୍ ଅନୁଯାୟୀ, ଡା. ଆଦିଲ ସହରାନପୁରରେ ହିଁ ଅନ୍ୟ ଜଣେ ମହିଳା ଡାକ୍ତରଙ୍କୁ ନିଜର ପ୍ରେମ ଜାଲରେ ଫସାଇଥିଲେ। ତା’ପରେ ସେ ୪ ଅକ୍ଟୋବରରେ ତାଙ୍କ ସହ ନିକାହ କରିଥିଲେ। ସେ ନିଜ ପତ୍ନୀଙ୍କ ସହ ହନିମୁନ୍ ଯିବାର ପ୍ରସ୍ତୁତି କରୁଥିଲେ ଯେ ୨୭ ଅକ୍ଟୋବର ରାତିରେ ତାଙ୍କୁ ଗିରଫ କରାଯାଇଥିଲା।
ଜେରା ସମୟରେ ଡା. ଆଦିଲ ପୋଲିସକୁ କହିଥିଲା ଯେ ସହରାନପୁରରେ ଚାକିରି କରୁଥିବା ସମୟରେ ସେ କିଛି ଦିନ ପୂର୍ବେ ଛୁଟି ନେଇ ନିଜ ଘର ଅନନ୍ତନାଗ ଯାଇଥିଲେ। ସେହି ସମୟରେ ସେ ଲୁଚାଚୋରାରେ ପୋଷ୍ଟର ଲଗାଇଥିଲା। ପୋଷ୍ଟର ଲଗାଇବା ପରେ ସେ ସହାନପୁର ଫେରି ଆସିଥିଲା। ସେଠାରେ ସେ ବିବାହ ମଧ୍ୟ କରିଥିଲା।
ଏହିପରି ୩୫୦ କିଲୋ ଆରଡିଏକ୍ସ ଜବତ ହେଲା
ପୋଲିସ ଚାପରେ ଡା. ଆଦିଲ ତା’ ପାଖରେ ଭାରୀ ପରିମାଣର ଗୋଲାବାରୁଦ ଥିବା ସ୍ୱୀକାର କରିଥିଲା । ତା’ପରେ ପୋଲିସ୍ ତାକୁ ହରିୟାଣାର ଫରିଦାବାଦ ନେଇଆସିଲା। ସେଠାରେ ଏକ ଭଡ଼ା ଘରେ ସେ ୩୫୦ କିଲୋ ଆରଡିଏକ୍ସ, ୨ ଏକେ ୪୭ ଏବଂ ଭାରୀ ପରିମାଣର ଜିଅନ୍ତା କାର୍ତ୍ତୁଜ ଲୁଚାଇ ରଖିଥିଲା। ପୋଲିସ୍ ଗିରଫଦାରୀ ସମୟରେ ମଧ୍ୟ ଡା. ଆଦିଲଙ୍କ ପାଖରୁ ତାଙ୍କ ହସ୍ପିଟାଲର ଲକରରୁ ଏକ ଏକେ ୪୭ ଜବତ କରିଥିଲା। ଏବେ ପୋଲିସ୍ ଆଗକୁ ଜେରା କରୁଛି ଯେ ସେ ଏତେ ଭାରୀ ସଂଖ୍ୟକ ଆରଡିଏକ୍ସ କେଉଁଠାରୁ ଆଣିଥିଲା ଏବଂ ତାହାର କ’ଣ କରିବାକୁ ଯୋଜନା କରୁଥିଲା।
ଫେମସ୍ ହସ୍ପିଟାଲରେ ଚାକିରି କରୁଥିଲା
ପୋଲିସ୍ କହିଛି ଯେ ଡା. ଅଦୀଲ ସହରାନପୁର ପୂର୍ବରୁ ଦିଲ୍ଲୀ ରୋଡ୍ ସ୍ଥିତ ଭି-ବ୍ରସ୍ ହସ୍ପିଟାଲରେ ମଧ୍ୟ କାମ କରିଛି। ଏପଟେ ଫେମସ୍ ହସ୍ପିଟାଲର ଆଡମିନ ଇନଚାର୍ଜ ଅସଲମ ଜାଇଦୀ କହିଛନ୍ତି ଯେ ଡା. ଆଦିଲଙ୍କ ନିଯୁକ୍ତି ପ୍ରାୟ ୬ ମାସ ପୂର୍ବେ ହୋଇଥିଲା। ସେ ବହୁତ ଶାନ୍ତ ରହୁଥିଲେ। କେବଳ ନିଜ କାମ ସହ କାମ ରଖୁଥିଲେ। ସେମାନଙ୍କୁ ଏହାର କୌଣସି ଅନୁମାନ ନଥିଲା ଯେ ସେ କ’ଣ କରୁଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ନିଯୁକ୍ତି କରିବା ପୂର୍ବରୁ ଯାଞ୍ଚ କରାଯାଇଥିଲା। ତାଙ୍କର ଠିକଣା, ମେଡିକାଲ ସାର୍ଟିଫିକେଟ୍ ଏବଂ ରେଜିଷ୍ଟ୍ରେସନ୍ ସବୁ ବୈଧ ଥିବାରୁ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା।

