ମାଆ ଟେଲର, ବାପା ଓ୍ବେଲ୍ଡର: କ୍ରିକେଟରେ ବିଶ୍ବ ରେକର୍ଡ କରିଥିବା ଆକାଶ କୁମାରଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ
ନନ୍ଦିଘୋଷ ବ୍ୟୁରୋ: କୁହାଯାଏ ଯଦି ନିଜ କାମ ପ୍ରତି ନିଷ୍ଠା ଓ ଭଲ ପାଇବା ଥିବ ତେବେ ସଫଳତା ଆପେ ଆପେ ଆପଣଙ୍କ ପାଦ ଛୁଇଁବ । ଆଉ ଏମିତି କିଛି କରି ଦେଖାଇଛନ୍ତି ଭାରତର ଉଦୟମାନ କ୍ରିକେଟର ଆକାଶ କୁମାରଙ୍କ କ୍ଷେତ୍ରରେ । ରଣଜୀ ଟ୍ରଫି-୨୦୨୫ର ପ୍ଲେଟ ଗ୍ରୁପ୍ ମ୍ୟାଚରେ ଆାକଶ କୁମାର ବିଶ୍ବ ରେକର୍ଡ କରି ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି । ଆଉ କ୍ରିକେଟ ପ୍ରତି ଥିବା ତାଙ୍କର ଭଲ ପାଇବା ଏହାର ଏକ ବଡ଼ ଉଦାହରଣ ହୋଇ ରହିବ ।
କ୍ରିକେଟର ହେବାର ସ୍ବପ୍ନ ତ ସ୍କୁଲ ସମୟରୁ ଥିଲା । ହେଲେ ରାସ୍ତା ଏତେ ସହଜ ନଥିଲା । କାରଣ ପରିବାର ଆର୍ଥିକ ସ୍ଥିତି କ୍ରିକେଟ ଓ ତାଙ୍କ ମଝିରେ ପାଚେରୀ ହୋଇ ଛିଡ଼ା ହୋଇଥିଲା । ଆଉ ଏମିତି ସମୟରେ ଆକାଶଙ୍କୁ ସାହାରା ସାଜିଥିଲେ ତାଙ୍କ ଗରିବ ବାପାମାଆ । ଆକାଶଙ୍କ ମାଆ ଟେଲରିଂ କାମ କରନ୍ତି । ଆଉ ବାପା ଓ୍ବେଲ୍ଡିଂ କାମ । ଯେଣେ ତେଣେ ପ୍ରକାରେ ଘର ଚଳି ଯାଉଥିଲା । ହେଲେ ସେମାନେ ଆକାଶଙ୍କୁ ସେ ସମସ୍ତ ସୁବିଧା ଯୋଗାଇ ଥିଲେ ଯାହା ତାଙ୍କ କ୍ୟାରିୟର ପାଇଁ ଆବଶ୍ୟକ ଥିଲା ।
ବିଶ୍ବ ରେକର୍ଡ କରିବା ପରେ ଆକାଶ କହିଛନ୍ତି, ଘରର ଆର୍ଥିକ ସ୍ଥିତି ଭଲ ନଥିଲେ ବି ମାଆ ଓ ବାପା କେବେ କିଛି ଅଭାବ କରିନାହାନ୍ତି । ମୁଁ ଆଜି ଯେଉଁଠି ପହଞ୍ଚିଛି, ଯାହା ହାସଲ କରିଛି ତାହା କେବଳ ମୋ ମାଆ ଓ ବାପାଙ୍କ ପାଇଁ ପାଇଛି ।
ଡେବ୍ୟୁରୁ ବିଶ୍ବ ରେକର୍ଡ ପର୍ଯ୍ୟନ୍ତର ସଂଘର୍ଷ
୨୦୧୯ରେ ଆକାଶ କୁମାର ଚୌଧୁରୀ ମେଘାଳୟ ପାଇଁ ଫାଷ୍ଟ କ୍ଲାସ୍ ଡେବ୍ୟୁ କରିଥିଲେ । ନାଗାଲ୍ୟାଣ୍ଡ ବିପକ୍ଷରେ ଥିଲା ତାଙ୍କର ଡେବ୍ୟୁ ମ୍ୟାଚ୍ । ସେ ମେଘାଳୟ ତରଫରୁ ଲିଷ୍ଟ ଏ ଓ ଟି୨୦ ବି ଖଷଳିଛନ୍ତି । ଲିଷ୍ଟ ଏ ଡେବ୍ୟୁ ସିକ୍କିମ ଓ ଟି୨୦ ଡେବ୍ୟୁ ଗୁଜରାଟ ବିପକ୍ଷରେ କରିଥିଲେ ।
ନିଜ କ୍ରିକେଟ କ୍ୟାରିୟରେ ଆକାଶ ବହୁତ ଉତ୍ଥାନ ପତନ ଦେଖିଛନ୍ତି । ଅରୁଣାଚଳ ପ୍ରଦେଶ ବିପକ୍ଷରେ ବିଶ୍ବ ରେକର୍ଡ କରିବା ପୂର୍ବରୁ ଫାଷ୍ଟ କ୍ଲାସ କ୍ୟାରିୟରରେ ୧୦ଟି ଇଂନିସରେ ମାତ୍ର ଦୁଇଟି ଅର୍ଦ୍ଧ ଶତକ ମାରିଛନ୍ତି । ଏହି ସମୟରେ ୫ଟି ଇଂନିସରେ ୨୦ ରନ ବି କରି ନଥିଲେ । ରଣଜୀ ଟ୍ରଫିର ପ୍ଲେଟ ଗ୍ରୁପରେ ବିହାର ବିପକ୍ଷରେ ଅର୍ଦ୍ଧ ଶତକ ମାରିବା ପରେ ଆକାଶ କୁମାରଙ୍କ କାହାଣୀ ପୂରା ବଦଳି ଯାଇଥିଲା ।
ଭାଙ୍ଗିଲେ ୧୩ ବର୍ଷ ପୁରୁଣା ବିଶ୍ବ ରେକର୍ଡ
ଅରୁଣାଚଳ ପ୍ରଦେଶ ବିପକ୍ଷରେ ୧୧ ବଲରୁ ଫାଷ୍ଟ ପ୍ଲାସ ୫୦ ବନାଇବା ପରେ ଏବେ ତାଙ୍କୁ ଭିନ୍ନ ପରିଚୟ ଦେଇଛି । ୮ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଲଗାତାର ୮ଟି ବଲରେ ୮ଟି ଛକ୍କା ମାରିଛନ୍ତି । ଯାହା ବିଶ୍ବର କୌଣସି ବ୍ୟାଟର କରିପାରିନାହାନ୍ତି । ଏହାପରେ ୧୧ ବଲରେ ଅର୍ଦ୍ଧ ଶତକ ମାରି ଫାଷ୍ଟ କ୍ଲାସ କ୍ରିକେଟରେ ୧୩ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ।
ସବୁ କ୍ରିକେଟରଙ୍କ ପରି ଟିମ୍ ଇଣ୍ଡିଆ ପାଇଁ ଖେଳିବାକୁ ଆକାଶ କୁମାରଙ୍କ ଇଚ୍ଛା ରହିଛି । ହେଲା ତାଙ୍କ ମତ ହେଲା, ଏହା ମୋ ହାତରେ ନାହିଁ । ମୋ ହାତରେ କେବଳ ବଲ ଓ ବ୍ୟାଟ ରହିଛି । ଆଉ ମୋତେ ଏଥିରେ ଭଲ ପରଫର୍ମାନ୍ସ କରିବାକୁ ପଡିବ । ଆଉ ଏହାକୁ ଆଗକୁ ମୋତେ ବଜାଇ ରଖିବାକୁ ପଡ଼ିବ ।

