spot_img

Latest Posts

ଖାଦ୍ୟରେ ବିଷ ମିଶାଇବାର ଆତଙ୍କବାଦୀ ଷଡ଼ଯନ୍ତ୍ର ! ଖୁଲାସା କଲା ଗୁଜରାଟର ଏଟିଏସ୍

ନନ୍ଦିଘୋଷ ବ୍ୟୁରୋ : ଅହମଦାବାଦରୁ ଗିରଫ ହୋଇଥିବା ୩ ସନ୍ଦିଗ୍ଧ ଆଇଏସ୍ ଆତଙ୍କବାଦୀଙ୍କ ସଂପର୍କରେ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ସେମାନଙ୍କ ମଧ୍ୟରୁ ଜଣେ ହେଉଛି ଡାକ୍ତର। ସେ ବଜାରର ଖାଦ୍ୟପଦାର୍ଥରେ ବିଷ ମିଶାଇବାକୁ ଷଡ଼ଯନ୍ତ୍ର କରିଥିଲା ବୋଲି ସୂଚନା ମିଳିଛି। ଏଥିପାଇଁ ସେ ରିସିନ ନାମକ ଏକ ଅତ୍ୟନ୍ତ ବିଷାକ୍ତ ରାସାୟନିକ ପଦାର୍ଥ ପ୍ରସ୍ତୁତ କରୁଥିଲା। ତିନିଟି ସହରରେ ଖାଦ୍ୟ ମାର୍କେଟରେ ସର୍ଭେ କରିଥିଲା। ଗତ ୬ ମାସ ଭିତରେ ସେ ଦିଲ୍ଲୀର ଆଜାଦପୁର ମଣ୍ଡି, ଅହମଦାବାଦର ନରୋଦା ଫଳ ମାର୍କେଟ ଓ ଲକ୍ଷ୍ନୌର ଆରଏସଏସ୍ ଅଫିସ ରେକି କରିଥିଲା। ଏହି ସବୁ ସ୍ଥାନରେ ପ୍ରବଳ ଜନଗହଳି ହୋଇଥାଏ। ଅଭିଯୁକ୍ତର ନାଁ ହେଲା ଅହମଦ ମହିଉଦ୍ଦିନ ସୟିଦ। ଜଡ଼ା ମଞ୍ଜିରୁ ଏହି ରିସିନ ପ୍ରସ୍ତୁତ କରିବାକୁ ସେ ଯୋଜନା କରିଥିଲା। ଅଧିକ ପରିମାଣରେ ଏହା ବ୍ୟବହାର କଲେ ଜଣକ ମୃତ୍ୟୁ ବି ହୋଇପାରେ। ତେବେ ଏପରି ଷଡ଼ଯନ୍ତ୍ର ଆଗରୁ କେହି କରିଥିବାର ସୂଚନା ନାହିଁ ପୋଲିସ କହିଛି। ତାଠୁ ମିଳିଥିବା ସାମଗ୍ରୀକୁ ନେଇ ଏବେ ପୋଲିସ ତଦନ୍ତ କରୁଛି, କେଉଁଠୁ ଏସବୁ ସାମଗ୍ରୀ ସେ ଆଣିଥିଲା ଓ କଣ କଣ ପରୀକ୍ଷା ନିରୀକ୍ଷା କରିଥିଲା। ସେ ଚୀନରୁ ଏମବିବିଏସ୍ କରିଥିଲା। ଆଇଏସ୍ ର ସ୍ଥାନୀୟ ମୁଖ୍ୟ ସହିତ ଯୋଗାଯୋଗରେ ଥିଲା। ସୟିଦ ହାଇଦ୍ରାବାଦର ହୋଇଥିବା ବେଳେ ଗିରଫ ହୋଇଥିବା ବାକି ଦୁଇ ଜଣ ଆଜାଦ ସୁଲିଆନ ଶେଖ୍ ଓ ମହମ୍ମଦ ସୁହେଲ ମହମ୍ମଦ ସଲେଇ ଉତ୍ତର ପ୍ରଦେଶର। ଗତକାଲି ଏହି ତିନି ଜଣଙ୍କୁ ଅହମଦାବାଦରୁ ଗିରଫ କରିଥିଲା।  ଏମାନେ ସମସ୍ତେ ସ୍ଲିପର୍ ସେଲ୍ ଭାବେ କାମ କରୁଥିଲେ। ବର୍ଷେ ହେଲା ଏଟିଏସ୍ ର ରାଡାରରେ ଥିଲେ ଏମାନେ। ପକ୍କା ପ୍ରମାଣ ମିଳିବା ପରେ ଗିରଫ କରାଯାଇଛି।

Latest Posts

Don't Miss