ଦେଶର ରାଜଧାନୀ ନୂଆଦିଲ୍ଲୀରେ ବଡ଼ ଧରଣର ବିସ୍ଫୋରଣ। ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନେକ ଆହତ ହୋଇଛନ୍ତି। ବିସ୍ଫୋରଣରେ ଆହତଙ୍କ ମେଡିକାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ପରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ନିକଟରେ ଥିବା ଦୋକାନ ଗୁଡ଼ିକର କବାଟ ଏବଂ ଝରକା ଭାଙ୍ଗି ଯାଇଛି । ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦିଲ୍ଲୀ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ସେପଟେ ଏନଏସଜି ଓ ଏନଆଇଏ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ସତର୍କ କରାଯାଇଛି । ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ରେ ବିସ୍ଫୋରଣ ଘଟିଥିଲା। ୧୦ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ସୁରକ୍ଷା ଏଜେନ୍ସି ଗୁଡ଼ିକର ନିଦ ହଜାଇ ଦେଇଛି । ଏହି ଘଟଣା ଲୋକାଲ୍ ବ୍ଲାଷ୍ଟ ନୁହେଁ ବୋଲି ପ୍ରାରମ୍ଭିକ ତଦନ୍ତରୁ ଅନୁମାନ କରାଯାଉଛି । ବିସ୍ଫୋରଣ ପରେ ଦିଲ୍ଲୀ ଓ ମୁମ୍ବାଇରେ ହାଇଆଲର୍ଟ ଜାରି କରାଯାଇଛି। ଦିଲ୍ଲୀ ସଂଲଗ୍ନ ଫରିଦାବାଦରେ ୨୯୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ମିଳିବା ହେବାର କିଛି ଘଣ୍ଟା ପରେ ଏହି ବିସ୍ଫୋରଣ ଘଟିଛି । ଆମୋନିୟମ୍ ନାଇଟ୍ରେଟ୍ ହେଉଛି ସମାନ ରସାୟନିକ ପଦାର୍ଥ ଯାହା ସାଧାରଣତଃ ବିସ୍ଫୋରକ ତିଆରି ପାଇଁ ବ୍ୟବହୃତ ହୁଏ। ତଦନ୍ତରୁ ଜଣାପଡ଼ିଛି ଯେ ଆମୋନିୟମ୍ ନାଇଟ୍ରେଟ୍ ବିଭିନ୍ନ ସୁଟକେସ୍ ଏବଂ ପ୍ଲାଷ୍ଟିକ୍ ବ୍ୟାଗରେ ପ୍ୟାକ୍ କରାଯାଇଥିଲା ।

