ଦିଲ୍ଲୀ ବିସ୍ଫୋରଣ: ଦୋକାନ ସାମଗ୍ରୀ ଆଣିବାକୁ ଯାଇ ଚାଲିଗଲା ୨୨ ବର୍ଷିୟ ଯୁବକଙ୍କ ଜୀବନ, ଭାଇ ଗୁରୁତର
ନନ୍ଦିଘୋଷ ବ୍ୟୁରୋ: ସୋମବାର ଦିଲ୍ଲୀରେ ହୋଇଥିବା ବିସ୍ଫୋରଣରେ କେତେ ପରିବାରକୁ ତଳିତଳାନ୍ତ କରି ଦେଇଛି । କିଏ ଭାଇକୁ ହରାଇଛି ତ କିଏ ପୁଅକୁ । ସାରା ଦେଶରେ ଏବେ ଶୋକର ଛାୟା । ଆଉ ଏହାରି ଭିତରେ ବ୍ଲାଷ୍ଟରେ ୨୨ ବର୍ଷିୟ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସେପଟେ ତାଙ୍କ ଦାଦାପୁଅ ଭାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଉଭୟ ନିଜ କଷ୍ଟମେଟିକ ଦୋକାନ ପାଇଁ ସାମଗ୍ରୀ କିଣିବାକୁ ଦିଲ୍ଲୀ ଯାଇଥିଲେ । ଆଉ ବିସ୍ଫୋରଣରେ ନୋମାନ ମୃତ୍ୟୁବରଣ କରିଛନ୍ତି ।
ନୋମାନଙ୍କ ଘର ଶାମଲି ଜିଲ୍ଲା ଝିଞ୍ଜାନା ସହରରେ । ଏହି ବିସ୍ଫୋଣ ତାଙ୍କ ପରିବାରକୁ ପୂରା ଛାରଖାର କରି ଦେଇଛି । ଘଟଣା ଜଣାପଡ଼ିବା ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି ।
ଦୋକାନ ସାମଗ୍ରୀ କିଣିବାକୁ ଯାଇ ମୃତ୍ୟୁର ଜାଲରେ ପଡ଼ିଗଲେ
ନୋମାନ ଦାଦା ପୁଅ ଭାଇ ଅମନ ସହ ଦିଲ୍ଲୀକୁ ନିଜ କଷ୍ଟମେଟିକ ଦୋକାନ ପାଇଁ ସାମଗ୍ରୀ ଆଣିବାକୁ ଯାଇଥିଲେ । ନୋମାନଙ୍କ ମଉସା ଦିଲଶାଦ ଅନସାରୀ କହିଛନ୍ତି, କିଛି ଜିନିଷ ଗାଡିରେ ରହି ଯାଇଥିଲା । ଯାହାକୁ ଆଣିବାକୁ ଉଭୟ ଯାଇଥିଲେ । ରାସ୍ତା ପାର କରି ଗାଡିରେ ବସିଥିବା ବେଳେ ବିସ୍ଫୋରଣ ଘଟିଥିଲା ।
ଦୋଷୀଙ୍କୁ ଦଣ୍ଡ ଦିଅ: ପରିବାର
ନୋମାନଙ୍କ ମୃତ୍ୟୁ ଘଟିଥିବା ବେଳେ ଅମନଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ରହିଛି । ଏହି ଦୁଃଖଦ ଘଟଣା ଉଭୟଙ୍କ ପରିବାରରେ ଶୋକର ଛାୟା ଖେଳାଇ ଦେଇଛି । ଏମିତି କାଣ୍ଡ ଯିଏ ବି କରିଛନ୍ତି ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି । ଏହାସହ ଉଭୟଙ୍କ ପରିବାରକୁ ଯଥା ସମ୍ଭବ ଆର୍ଥିକ ସହାୟତା ଦେବାକୁ ଦାବି ହୋଇଛି ।

