ସମସ୍ତଙ୍କୁ ସଡ଼କ, ବିଜୁଳି ଓ ପିଇବା ପାଣି ଯୋଗାଇବାକୁ ସରକାରଙ୍କ ମିଶନ ପାଓ୍ବାର, କାର୍ଯ୍ୟକାରିତାକୁ ନେଇ ଉଠିଲା ପ୍ରଶ୍ନ
ନନ୍ଦିଘୋଷ ବ୍ୟୁରୋ: ଗାଁକୁ ସଡ଼କ, ବିଜୁଳି ଓ ପିଇବା ପାଣି ପହଞ୍ଚାଇବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ମିଶନ ପାଓ୍ବାର । ଡିସେମ୍ବର ୨୦୨୭ ସୁଦ୍ଧା ଲକ୍ଷ୍ୟ ହାସଲ ପାଇଁ ରହିଛି ଟାର୍ଗେଟ । ଲୋକସେବା ଭବନରେ ବସିଥିବା ବୈଠକ ନଭେମ୍ବର ଶେଷ ସୁଦ୍ଧା ସମସ୍ତ ଜିଲ୍ଲାପାଳ ନିଜ ନିଜ ଜିଲ୍ଲାର ସ୍ଥିତି ବାବଦରେ ରିପୋର୍ଟ ଦେବେକୁ ନିଷ୍ପତ୍ତି । ଏହାପରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଶକ୍ତି ବିଭାଗର ମିଳିତ ବୈଠକ ବସି ରଣନୀତି ପ୍ରସ୍ତୁତ ହେବ । ସରକାର ଯୋଜନା କାର୍ଯ୍ୟକାରୀ ପାଇଁ ଡେଡଲାଇନ ସ୍ଥିର କରୁଥିଲେ ବି କୌଣସି କାମ ସମୟ ଭିତରେ ସରେ ନାହିଁ । ଏଥିପ୍ରତି ସରକାର ସଜାଗ ହେଲେ ଯୋଜନା ବାସ୍ତବ ରୂପ ପାରିବ ବୋଲି ସମୀକ୍ଷକ ଦେଲେ ମତ ।
ଟାର୍ଗେଟ ଡିସେମ୍ବର ୨୦୨୭ । ରାଜ୍ୟର ସମସ୍ତ ଘରକୁ ମିଳିବ ବିଶୁଦ୍ଧ ପିଇବା ପାଣି, ପକ୍କା ସଡ଼କ ଓ ବିଜୁଳି । ଏମିତି ଏକ ଲକ୍ଷ୍ୟରେ ସରକାର ଆରମ୍ଭ କରିଛନ୍ତି ମିଶନ ପାଓ୍ବାର । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ପ୍ରଥମ ବୈଠକ । କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଓ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନାରେ ଗ୍ରାମାଞ୍ଚଳରେ ବିଦ୍ୟୁତକରଣ ହେଉଥିଲେ ବି ବିଭିନ୍ନ ସସସ୍ୟା ଯୋଗୁଁ ଲକ୍ଷ ଲକ୍ଷ ଘର ଏବେ ବି ଅନ୍ଧାରରେ । ସବୁ ଘରକୁ ପିଇବା ପାଣି ଯୋଗାଇବାକୁ ୨୦୨୨କୁ ଟାର୍ଗେଟ ରଖିଥିଲେ ପୂର୍ବ ସରକାର । କିନ୍ତୁ ନୂଆ ସରକାର ଆସିବା ପରେ ପ୍ରକଳ୍ପ କାମ କେଉଁଠି ଧିମେଇ ଚାଲିଛି ତ କେଉଁଠି ଠପ୍ ହୋଇଛି । ୨ ହଜାର ୮୦୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ରାଜ୍ୟ ସରକାର ୨୦୨୬କୁ ନୂଆ ଟାର୍ଗେଟ ରଖିଥିଲେ ବି ମନ୍ଥର ଗତିରେ ଚାଲିଛି କାମ । ରାଜ୍ୟରେ ୫୯ ହଜାର ୯୭୨ ଗାଁ ମଧ୍ୟରୁ ଏବେ ୮ ହଜାର ୩୦୦ ଗାଁକୁ ରାସ୍ତା ନାହିଁ । ପାଣି, ବିଜୁଳି, ସଡ଼କ ନେଇ ପ୍ରତି ଗାଁର ସ୍ଥିତି ବାବଦରେ ଜିଲ୍ଲାପାଳମାନେ ମାସକ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ । ଏହାପରେ ସରକାର ସବୁ ବିଭାଗ ସହ ମିଳିତ ବୈଠକ କରି ସମସ୍ୟା ସମାଧାନର ବାଟ ବାହାର କରିବେ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।
୨୦୨୭ରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ସରକାର ମିଶନ ପାଓ୍ବାର ଆରମ୍ଭ କରିଛନ୍ତି । ସବୁ ଘରକୁ ସଡ଼କ, ବିଜୁଳି, ପାଣି ପାଇଁ ଯୋଜନା କରୁଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାଜ୍ୟରେ ୭୦ ହଜାର କିଲୋମିଟର ରାସ୍ତା ହୋଇଥିବା ବେଳେ, ସାରା ଦେଶରେ ଓଡ଼ିଶା ୪ ନମ୍ବରରେ ଅଛି । ଆସନ୍ତାବର୍ଷ ସୁଦ୍ଧା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୫ ହଜାର କିଲୋମିଟର ରାସ୍ତା କରିବାକୁ ଲକ୍ଷ୍ୟ ରହିଛି । ନକ୍ସଲ ପ୍ରଭାବିତ ଓ ଆଦିବାସୀ ବହୁଳ ଗାଁକୁ ସଂଯୋଗ ହେଉଛି ପ୍ରାଥମିକତା । ସେହିପରି ସେତୁ ବନ୍ଧନ ଯୋଜନାରେ ଆସନ୍ତା ୫ ବର୍ଷରେ ୫ ଶହ ସେତୁ କରିବାକୁ ଟାର୍ଗେଟ ରହିଛି । ହେଲେ ସରକାରଙ୍କ ଲକ୍ଷ୍ୟ ଓ କାମ ଭିତରେ ସାମଞ୍ଜସ୍ୟ ନାହିଁ ବୋଲି ମତ ରଖିଛନ୍ତି ସମୀକ୍ଷକ ।
ଆନ୍ତରିକତା ଓ ସମନ୍ବୟ ଅଭାବ ଯୋଗୁଁ ଟାର୍ଗେଟ ମଧ୍ୟରେ ସରିପାରୁନି ସରକାରୀ କାର୍ଯ୍ୟକ୍ରମ । ତେଣୁ ସରକାର ଏଦିଗରେ ସଜାଗ ହେଲେ ଯୋଜନା ବାସ୍ତବ ରୂପ ନେବା ସାଙ୍ଗକୁ ସୁବିଧା ପାଇପାରନ୍ତେ ଜନତା ।

