ନନ୍ଦିଘୋଷ ବ୍ୟୁରୋ : ବିହାର ନିର୍ବାଚନ ଫଳାଫଳ ପରେ ପରେ ତେଜିବାରେ ଲାଗିଛି ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ବିଦ୍ରୋହ। ଏପରିକି ବିହାରରେ ଆରଜେଡିର ଏହି ପରାଜୟ ଲାଗି ରୋହିଣୀ ଆଚାର୍ଯ୍ୟ ହିଁ ଦାୟୀ ବୋଲି କହିଛନ୍ତି ତେଜସ୍ବୀ। ଏପରିକି ରୋହିଣୀଙ୍କ ଉପରକୁ ତେଜସ୍ବୀ ଚପଲ ଫୋପାଡିଥିବା କୁହାଯାଉଛି। ଗତକାଲି ରାଜନୀତିରୁ ସନ୍ନ୍ୟାସ ନେବା ସହ ଲାଲୁ ପରିବାରଠାରୁ ନିଜକୁ ଦୂରେଇଥିଲେ ରୋହିଣୀ। ଏପରିକି ବରିଷ୍ଠ ଆରଜେଡି ନେତା ସଞ୍ଜୟ ଯାଦବ ଓ ତେଜସ୍ବୀଙ୍କ ଦୀର୍ଘଦିନର ବନ୍ଧୁ ରମିଜ ନେମାତ ଖାଁଙ୍କ ପରାମର୍ଶ କ୍ରମେ ସେ ଏହି ପଦକ୍ଷେପ ନେଇଛନ୍ତି ବୋଲି କହିଥିଲେ ରୋହିଣୀ।
ଗତକାଲି ରୋହିଣୀ କହିଥିଲେ- ଜଣେ ଝିଅ, ଜଣେ ଭଉଣୀ, ଜଣେ ବିବାହିତା ମହିଳା ଓ ଜଣେ ମାଆଙ୍କୁ ନିର୍ଯାତନା ଓ ଅପମାନ ଦିଆଯାଇଛି। ବାପାଙ୍କୁ କିଡନୀ ଦାନ ପ୍ରସଙ୍ଗରେ ସେ ତେଜସ୍ବୀଙ୍କୁ କଟାକ୍ଷ କରିଥିବାବେଳେ ତାଙ୍କ ଭଗବାନରୂପୀ ବାପାଙ୍କ ଜୀବନ ଲାଗି କିଡନୀ ଦାନ କରିଥିବା ସେ କହିଛନ୍ତି। ପୂର୍ବରୁ ଆରଜେଡିରୁ ତେଜପ୍ରତାପଙ୍କୁ ବହିଷ୍କାର ଘଟଣାକୁ ନେଇ ଅସନ୍ତୁଷ୍ଟ ଥିଲେ ରୋହିଣୀ। ମାତ୍ର ଗତ ନିର୍ବାଚନରେ ଭାଇ ତେଜସ୍ବୀଙ୍କ ଲାଗି ସେ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ତେଣେ ଏକ କିଡନୀ ଦାନ ବଦଳରେ ଏକ ନିର୍ବାଚନ ଟିକେଟ ରୋହିଣୀ ପାଇଛନ୍ତି ବୋଲି ପରିବାର ପକ୍ଷରୁ ହୋଇଥିବା ଅଭିଯୋଗକୁ ସମାଲୋଚନା କରିଛନ୍ତି ରୋହିଣୀ। ତେଣେ ତେଜସ୍ବୀଙ୍କୁ ଆଉରେଙ୍ଗଜେବଙ୍କ ସହ ତୁଳନା କରିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ।

