ଓଡ଼ିଶାର ଜୀବନରେଖାକୁ ଅଣଦେଖା । ଚିରସ୍ରୋତା ମହାନଦୀର ବନ୍ଦ ହେଲାଣି ଜଳସ୍ରୋତ । ବର୍ଷା ବନ୍ଦ ହେବାପରେ ଗେଟ୍ ବନ୍ଦ କରିଛି ଛତିଶଗଡ଼ । ଯଦି ନଭେମ୍ବରରୁ ଏମିତି, ଖରାଦିନେ କେମିତି ରହିବ ସ୍ଥିତି ? ଶୁଖିଲାଣି ଓଡ଼ିଶାର ଜୀବନରେଖା । ମହାନଦୀର ପାଣି ଉପରେ ଖାଲି ସମ୍ବଲପୁର ନୁହେଁ ସାରା ଓଡ଼ିଶାର ଲୋକେ ନିର୍ଭର କରନ୍ତି । ହେଲେ ଏହାକୁ ଅଣଦେଖା କରାଯାଉଛି । ପଡ଼ୋଶୀ ରାଜ୍ଯର ମନମୁଖି ଯୋଗୁଁ ଶିରୀ ହରାଇଛି ଚିରସ୍ରୋତା ମହାନଦୀ । ବର୍ଷା ବନ୍ଦହେବା ପରେ ଛତିଶଗଡ଼ ସମସ୍ତ ବ୍ଯାରେଜର ଗେଟ ବନ୍ଦ କରିଦେଇଥିବାରୁ ନଦୀ ଶୁଖିବାରେ ଲାଗିଛି । ତେଣୁ ଜୀବନ ଜୀବିକାକୁ ନେଇ ଚିନ୍ତାରେ ସମ୍ବଲପୁରବାସୀ ।
ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ଓ ଜଳ ସମ୍ପଦ ବିଭାଗ ଦେଇଥିବା ସୂଚନା ଅନୁସାରେ ଗତ ୧୩ ତାରିଖରେ ହୀରାକୁଦ ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ମାତ୍ର ୫ ହଜାର ଶହେ ଘନଫୁଟ ଜଳ ପ୍ରବେଶ କରୁଛି । ଯାହା ବର୍ତ୍ତମାନର ଆବଶ୍ୟକତା ଠାରୁ ଯଥେଷ୍ଟ କମ । ବର୍ତ୍ତମାନ ୭ ହଜାରରୁ ଅଧିକ ଘନଫୁଟ ପାଣି ଆବଶ୍ୟକ । ତେଣୁ ଜଳଭଣ୍ଡାର ଜଳସ୍ତର କ୍ରମାଗତ ଭାବେ କମିବାରେ ଲାଗିଛି । ଆଗକୁ ଅଧିକ ପାଣି ନଆସିଲେ କୃଷି କାର୍ଯ୍ୟ ସମେତ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ପ୍ରଭାବିତ ହେବା ଆଶଂକା ଦେଖାଦେଇଛି । ତେଣୁ ରାଜ୍ଯ ସରକାର ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସହରବାସୀ ।

