ପହଲଗାମ ଆତଙ୍କୀ ଆକ୍ରମଣ ପରେ ମେ’ ମାସରେ ହୋଇଥିବା ସୈନ୍ୟ କାର୍ଯ୍ୟାନୁଷ୍ଠାନ ବା ‘ଅପରେସନ ସିନ୍ଦୂର’କୁ ନେଇ ଭାରତୀୟ ସ୍ଥଳ ସେନାଧ୍ୟକ୍ଷ ଉପେନ୍ଦ୍ର ଦ୍ବିବେଦୀ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଅପରେସନ ସିନ୍ଦୂର ତ କେବଳ ଏକ ଟ୍ରେଲର ଥିଲା, ଯାହାକି ମାତ୍ର ୮୮ ଘଣ୍ଟାରେ ସମାପ୍ତ ହୋଇଯାଇଥିଲା । ପାକିସ୍ତାନ ଯଦି ଭୁଲ କରିବ, ତେବେ ସେଥିପାଇଁ ତାକୁ କଡ଼ା ଜବାବ ଦିଆଯିବ ।
ଚାଣକ୍ୟ ଡିଫେନ୍ସ ଡାଇଲଗ କାର୍ଯ୍ୟକ୍ରମରେ ଅପରେସନ ସିନ୍ଦୂରକୁ ନେଇ ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ କହିଥିଲେ, ଯେତେବେଳେ କୌଣସି ଦେଶ ପ୍ରାୟୋଜିତ ଆତଙ୍କବାଦକୁ ପ୍ରୋତ୍ସାହନ ଦିଏ, ତାହା ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଯାଏ । ଭାରତ ପ୍ରଗତିର କଥା କହିଥାଏ । ଯଦି କିଏ ଆମର ରାସ୍ତାରେ ବାଧା ସୃଷ୍ଟି କରେ, ତେବେ ଆମକୁ ତା’ ବିପକ୍ଷରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ । ସାଧାରଣ ଭାବେ କଥାବାର୍ତ୍ତା ଓ ଆତଙ୍କବାଦୀ ଏକ ସଙ୍ଗେ ଚାଲିପାରିବ ନାହିଁ । ଏକ ଶାନ୍ତିପୂର୍ଣ୍ଣ ପ୍ରକ୍ରିୟା ଗ୍ରହଣ କରିବା ପାଇଁ ଆମେ କହୁଛୁ, ସେଥିପାଇଁ ଆମେ ସହଯୋଗ କରିବୁ । ଯେଉଁମାନେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରିବେ, ଆମେ ସେମାନଙ୍କୁ କଡ଼ା ଜବାବ ଦେବୁ । ଆମେ ଭବିଷ୍ୟତର ଯେ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛୁ । ଯଦି ପାକିସ୍ତାନ ସୁଯୋଗ ଦିଏ, ତେବେ ପଡ଼ୋଶୀ ଦେଶ ତାକୁ ଦାୟିତ୍ବ କ’ଣ ଠିକରେ ଶିଖାଇଦେବ ।

