spot_img

Latest Posts

ପୁଣି ବାତ୍ୟା ଭୟ: ମୋନ୍ଥା ଆସିବାର ମାସକ ବ୍ୟବଧାନରେ ପୁଣି ଏକ ଲଘୁଚାପ ସମ୍ଭାବନା ବଢ଼ାଇଲା ଚିନ୍ତା

ପୁଣି ବାତ୍ୟା ଭୟ: ମୋନ୍ଥା ଆସିବାର ମାସକ ବ୍ୟବଧାନରେ ପୁଣି ଏକ ଲଘୁଚାପ ସମ୍ଭାବନା ବଢ଼ାଇଲା ଚିନ୍ତା

ନନ୍ଦିଘୋଷ ବ୍ୟୁରୋ: ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା । ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଆଗକୁ ନେଇପାରେ ଲଘୁଚାପ ରୂପ । ଗଲାମାସରେ ମୋନ୍ଥା ବାତ୍ୟାର ତାଣ୍ଡବ ପରେ ପୁଣି ଏବେ ନଭେମ୍ବରରେ ରାଜ୍ୟବାସୀଙ୍କୁ ଘାରିଲାଣି ବାତ୍ୟା ଭୟ । ମାସକ ବ୍ୟବଧାନରେ ପୁଣି ଏକ ଲଘୁଚାପ ସମ୍ଭାବନା ଥବାରୁ ବଢ଼ିଲା ଚିନ୍ତା । ଅନେକ ସ୍ଥାନରେ ଏପର୍ଯ୍ୟନ୍ତ ଧାନ ଅମଳ ହୋଇପାରିନାହଁ । ଏଭଳି ସ୍ଥିତିରେ ଘୂର୍ଣ୍ଣିବଳୟକୁ ନେଇ ପୁଣି ରାଜ୍ୟବାସୀଙ୍କ ମଧ୍ୟରେ ପଶିଛି ଛନକା ।

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୨୨ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ୪୮ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହୋଇପାରେ । ନଭେମ୍ବରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଘାରିଲାଣି ବାତ୍ୟା ଭୟ । ଶୀତ ଋତୁରେ ଲଘୁଚାପ କ୍ଷେତ୍ର ସୃଷ୍ଟି ମଡେଲକୁ ନେଇ ଅନେକ ବାତ୍ୟା ଆଶଙ୍କା କରୁଛନ୍ତି । ତେବେ ଏପର୍ଯ୍ୟନ୍ତ ଲଘୁଚାପ ସୃଷ୍ଟି ହୋଇ ନଥିବାରୁ ଚିତ୍ର ସ୍ପଷ୍ଟ ହୋଇପାରିନି । ମଲାକା ସମୁଦ୍ର ମଧ୍ୟ ଅଂଶରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୨୨ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୪ ତାରିଖ ବେଳକୁ ଆହୁରି ଘନୀଭୂତ ହେବ । ଦକ୍ଷିଣ ବଙ୍ଗୋପସାଗର ମଧ୍ୟ ଭାଗରେ ଗୋଟିଏ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହୋଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବଙ୍ଗୋପସାଗରରୁ ଶୁଷ୍କ ଆର୍ଦ୍ରବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟରେ ତାପମାତ୍ରା ବଢି ଚାଲିଛି । ସପ୍ତାହେ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ହେବ ନାହିଁ । ଆସନ୍ତା ୨୪ ବେଳକୁ ଲଘୁଚାପ ସୃଷ୍ଟି ହୋଇପାରେ । ଆସନ୍ତା ୨୬ କିମ୍ବା ୨୭ ବେଳକୁ ବାତ୍ୟା ହେବ ବୋଲି ପୂର୍ବାନୁମାନ କରିଛି ଆମେରିକୀୟ ପାଣିପାଗ ମଡେଲ ଜିଏଫସି । ୨୯ ନଭେମ୍ବରରେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି । ତେବେ ବାତ୍ୟା ଆକଳନର ବିଭିନ୍ନ ମଡେଲ ଅନୁସାରେ ଏବେଠାରୁ କ’ଣ ପ୍ରଭାବ ପଡିବ କହିବା ଅସମ୍ଭବ । ଆସନ୍ତା ସପ୍ତାହ ବେଳକୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ଲଘୁଚାପ ସୃଷ୍ଟି ସମ୍ଭାବନାରୁ ଫସଲ କ୍ଷତି ହେବା ଆଶଂକା କରାଯାଉଛି । ତେଣୁ ବେଳ ଥାଉ ଥାଉ ଅମଳ ଫସଲ ସବୁ ବିଲରୁ ସଂଗ୍ରହ କରିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଶେଷଜ୍ଞ । ଲଘୁଚାପ ସୃଷ୍ଟି ପରେ ସମ୍ଭାବ୍ୟ ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହେବ ।

Latest Posts

Don't Miss