ନନ୍ଦିଘୋଷ ବ୍ୟୁରୋ : ରାସ୍ତା କାର୍ଯ୍ୟ ଠିକାକୁ ନେଇ ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ । କଟକ ଜିଲ୍ଲା ବାଙ୍କୀ ବ୍ଲକ ଗୋଳାଗଣ୍ଡ ପଞ୍ଚାୟତର ରଜିବ ଗାଁକୁ ବିକଶିତ ଗାଆଁ ବିକଶିତ ଓଡ଼ିଶା ଯୋଜନାରେ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଅନୁଦାନ ଆସିଛି । ଏହାର କାର୍ଯ୍ୟାଦେଶ ବିଭାଗୀୟ ଯନ୍ତ୍ରୀଙ୍କ ନାଁରେ ଥିବା ବେଳେ ବିଜେପିର କେଉଁ ଗୋଷ୍ଠୀ ଏହି କାର୍ଯ୍ୟ କରିବ ସେନେଇ ୩ ଦିନ ଧରି ବିବାଦ ଲାଗି ରହିଛି । ଏନେଇ ବିଜେପିର ଗୋଟିଏ ଗୋଷ୍ଠୀ ଅଭିଯୋଗ କରିବାକୁ ବାଙ୍କୀ ବ୍ଲକ୍ ବିଡ଼ିଓଙ୍କ କାର୍ଯ୍ୟାଳୟକୁ ଯାଇଥିବା ବେଳେ ବିଡ଼ିଓ କିଛି ନବୁଝି ପୋଲିସକୁ ଖବର ଦେଇଥିଲେ । ବିଜେପିର ନିର୍ଦ୍ଧିଷ୍ଟ ଜଣେ ନେତାଙ୍କ କଥାରେ କାର୍ଯ୍ୟ ହେବ କହି ବିଜେପି କର୍ମୀଙ୍କୁ ଦୁର୍ବବ୍ୟବହାର କରି ଫେରାଇ ଦେଇଥିଲେ ବିଡ଼ିଓ । ଯାହା ଫଳରେ କିଛି ସମୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହୋହଲ୍ଳା ପରିସ୍ଥିତି ଉପୁଜିଥିଲା । ସେଠାରୁ ଫେରି ବାଙ୍କୀ ଉପ ଜିଲ୍ଲାପାଳଙ୍କୁ ବିଡ଼ିଓଙ୍କ ବ୍ୟବହାର ଓ ଠିକା କାର୍ଯ୍ୟ ପାଇଁ ଅଭିଯୋଗ କରିଥିଲେ ବିଜେପି କର୍ମୀ । ବିପକ୍ଷ ଗୋଷ୍ଠୀର ଯୁବକମାନେ ରାସ୍ତା କାର୍ଯ୍ୟ ଆରମ୍ଭ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଛି । ଗଣ୍ଡଗୋଳ ଆଶଙ୍କା ଥିବାରୁ ବ୍ଲକ୍ ପକ୍ଷରୁ କାର୍ଯ୍ୟ ବନ୍ଦ କରାଯାଇଛି । ସେପଟେ ବାଙ୍କୀ ଉପଜିଲ୍ଲାପାଳ କହିଛନ୍ତି ଦିନେ ଦୁଇ ଦିନ ପରେ ବିଜେପିର ଉଭୟ ଗୋଷ୍ଠୀଙ୍କୁ ଡାକି ଆଲୋଚନା ହେବା ପରେ କାର୍ଯ୍ୟ ଆରମ୍ଭ ହେବ ।

