ସ୍କୁଲ ୟୁନିଫର୍ମ ତିଆରିରେ ମହାଦୁର୍ନୀତି । SHG ବଦଳରେ ବ୍ୟବସାୟିକ ସଂସ୍ଥାକୁ ଓ୍ବାର୍କ ଅର୍ଡର। ୟୁନିଫର୍ମ ତିଆରି ପାଇଁ ପ୍ରତି ଡ୍ରେସ ପିଛା ୪୦ ଟଙ୍କା କମିଶନ ଦାବି। ଘରକୁ ଡାକି ଅଧିକାରୀ ପିସି ମାଗୁଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରାପଡା ଓ ଆଳି ବ୍ଲକର କିଛି SHG ସଦସ୍ୟା। ୟୁନିଫର୍ମ ତିଆରି ପାଇଁ ସଂସ୍ଥା ଚୟନ ବେଳେ ବ୍ୟବସାୟିକ ସଂସ୍ଥାକୁ ଅନୁକମ୍ପା ପ୍ରଦର୍ଶନ ହୋଇଛି। ସବୁ ଯୋଗ୍ୟତା ଥାଇ ସୁଦ୍ଧା ଅନେକ ଗୋଷ୍ଠୀ କାମ ପାଇବାରୁ ବଂଚିତ ହୋଇଛନ୍ତି । କିଛି ଗୋଷ୍ଠୀଙ୍କୁ ନାମକୁ ମାତ୍ର ୱାର୍କ ଅର୍ଡର ମିଳିଛି । କାହାକୁ ଦେଢ ଶହ ତ କାହାକୁ ଦୁଇ ଶହ ଡ୍ରେସ ପାଇଁ ଅର୍ଡର ଦେଇ କାମ ସାରି ଦେଇଛନ୍ତି ଅଧିକାରୀ। କାହା ସ୍ବାର୍ଥରେ ବ୍ୟବସାୟିକ ସଂସ୍ଥାଗୁଡିକୁ ଦିଆଗଲା ଓ୍ବାର୍କ ଅର୍ଡର ଉଠିଲା ପ୍ରଶ୍ନ ? ଏନେଇ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଗୋଷ୍ଠୀ ସଦସ୍ୟା।
ରାଜ୍ୟ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମାଗଣା ୟୁନିଫର୍ମ ଯୋଗାଇ ଦେଉଛନ୍ତି । ୟୁନିଫର୍ମ ତିଆରି ପାଇଁ ଉଭୟ ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଏମଏସଇ ବା ବ୍ୟବସାୟିକ ସଂସ୍ଥା ଆବେଦନ କରିବାର ନିୟମ ରହିଛି। କିନ୍ତୁ ମୋଟା ଅଙ୍କର ଟଙ୍କା ନେଇ ବିଇଓ ଏବଂ ବିଡିଓ ନିର୍ଦ୍ଦିଷ୍ଟ କିଛି ଗୋଷ୍ଠୀ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ଡ୍ରେସ ତିଆରି ପାଇଁ ଅର୍ଡର ଦେଇଥିବାର ଅଭିଯୋଗ ହୋଇଛି। ଉଭୟ ଆଳି ଓ କେନ୍ଦ୍ରାପଡା ବ୍ଲକ ଶିକ୍ଷା ବିଭାଗରେ ୟୁନିଫର୍ମ ତିଆରିରେ ହେରଫେର ଓ ପ୍ରିୟାପ୍ରୀତି ପୋଷଣ ଘଟଣା ଜଣା ପଡିବା ପରେ ଜିଲ୍ଲାର ଅନ୍ୟ ବ୍ଲକ ରେ ମଧ୍ୟ ଘଟଣା ନେଇ ତଦନ୍ତ କରିବାକୁ ଦାବି ଉଠିଛି।

