ବିହାର ବିଧାନସଭା ନିର୍ବାଚନର ବିନ୍ଧାଣି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ଵରରେ ପହଞ୍ଚିଛନ୍ତି । ବିହାରରେ NDAର ଚମତ୍କାର ପ୍ରଦର୍ଶନ ପରେ ସେ ଓଡ଼ିଶା ଆସିଥିବାରୁ ତାଙ୍କୁ ଭୁବନେଶ୍ଵର ବିମାନବନ୍ଦରରେ ଭବ୍ୟ ସ୍ଵାଗତ କରାଯାଇଛି । ହଜାର ହଜାର ବିଜେପି କର୍ମୀ ଓ ନେତା ତାଙ୍କୁ ଭବ୍ୟ ସ୍ଵାଗତ କରିଛନ୍ତି । ପାରମ୍ପରିକ ନୃତ୍ୟବାଦ୍ୟରେ ତାଙ୍କୁ ସ୍ଵାଗତ କରିଛନ୍ତି ଦଳୀୟ ନେତା । ବିମାନବନ୍ଦରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ବିଭୁ ପ୍ରସାଦ ତରାଇ, ବିଧାୟକ ଟଙ୍କଧର ତ୍ରିପାଠୀ, ଗୋଲକ ମହାପାତ୍ର, ପିଙ୍କି ପ୍ରଧାନ, ତେଜେଶ୍ଵର ପରିଡ଼ା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା । ଭୁବନେଶ୍ବରରେ ପହଞ୍ଚିବା ପରେ ଧର୍ମେନ୍ଦ୍ର କହିଛନ୍ତି, ବିହାରରେ NDAର ବିପୁଳ ବିଜୟ ପାଇଁ ଅଗଣିତ ଜନତାଙ୍କୁ ଧନ୍ୟବାଦ ।
ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ବିହାରରେ NDA ସଫଳତା ପାଇଛି । ବିହାର ବିଜୟ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ଵକୁ ବଡ଼ ସ୍ଵୀକୃତି ଦେଇଛି । ନୀତୀଶ କୁମାରଙ୍କ ନେତୃତ୍ଵକୁ ପୁଣି ସ୍ଵୀକୃତି ଦେଇଥିବାରୁ ଲୋକଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ଉତ୍ତମ ଶାସନକୁ ବିହାରବାସୀ ପୁଣି ପସନ୍ଦ କରିଛନ୍ତି ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଭୂମିକାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ଦେଶ ବିଭାଜନ ମାନସିକତା ରଖୁଥିବା କଂଗ୍ରେସକୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି । କଂଗ୍ରେସର ନକାରାତ୍ମକ ରାଜନୀତିକୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି । ନୂଆପଡ଼ାରେ BJP ବିପୁଳ ଭୋଟ୍ରେ ଜିତିଛି । ସେଥିପାଇଁ ସେ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ବିହାର ନିର୍ବାଚନ ପ୍ରଭାରୀ ଦାୟିତ୍ଵରେ ଥିଲେ ଧର୍ମେନ୍ଦ୍ର ପ୍ରଧାନ ।

