ବିଭୀଷଣ ଓ ରାବଣ ଝଡ଼: ମୁହାଁମୁହିଁ ମୋକିମ ଓ ଭକ୍ତ, ବରିଷ୍ଠଙ୍କ ପରେ କନିଷ୍ଠଙ୍କ ଟାର୍ଗେଟରେ ପିସିସି ସଭାପତି
ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସରେ ତେଜିବାରେ ଲାଗିଛି ଗୋଷ୍ଠୀ କନ୍ଦଳ । ପିସିସି ସଭାପତି ଭକ୍ତ ଦାସ ଓ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ କଳି କଂଗ୍ରେସ ସଂଗଠନକୁ ଦୁଇ ଫାଳ କରିଛି । କଂଗ୍ରେସରେ କିଏ ରାବଣ ଓ କିଏ ବିଭୀଷଣ, ତାକୁ ନେଇ ବରିଷ୍ଠଙ୍କ ପରେ କନିଷ୍ଠମାନେ ମଧ୍ୟ ମୁହଁ ଖୋଲି ପିସିସି ସଭାପତିଙ୍କୁ ଟାର୍ଗେଟ କଲେଣି । ଅନ୍ୟପଟେ ମୋକିମ ନିଜକୁ ଶୁଙ୍ଖଳିତ କର୍ମୀ କହି ବିବାଦରେ ନୂଆ ଟୁଇଷ୍ଟ ଆଣିଛନ୍ତି ।
ମୁହାଁମୁହିଁ ମୋକିମ ଓ ଭକ୍ତ । ବରିଷ୍ଠଙ୍କ ପରେ କନିଷ୍ଠଙ୍କ ଟାର୍ଗେଟରେ ପିସିସି ସଭାପତି । ମାପିଚୁପି ବୟାନ ଦେଲେ ବିଧାୟକ । କଂଗ୍ରେସରେ ଥମୁନି ମନ୍ତବ୍ୟ ଝଡ଼ । ପିସିସି ସଭାପତିଙ୍କ ବିଭୀଷଣ ବୟାନକୁ ନେଇ ରାଜ୍ୟ କଂଗ୍ରେସରେ ଲାଗିଥିବା ନିଆଁ ଏବେ ବରିଷ୍ଠରୁ କନିଷ୍ଠଙ୍କୁ ଡେଇଁଲାଣି । କଂଗ୍ରେସରେ କିଏ ରାବଣ, କିଏ ବିଭୀଷଣ ? ତାକୁ ନେଇ ଦୁଇ ଫାଳ ହେଲାଣି ଦଳ । ନୂଆପଡା ଉପନିର୍ବାଚନରେ କଂଗ୍ରେସର ପରାଜୟ ପରେ ପିସିସି ସଭାପତି ଦେଇଥିଲେ ବିଭୀଷଣ ମନ୍ତବ୍ୟ । ଯାହାକୁ ନେଇ ଦଳର ହେଭିଓ୍ବେଟ ନେତାଙ୍କ ପରେ କନିଷ୍ଠ ମାନେ ମଧ୍ୟ ପିସିସି ସଭାପତିଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି । ୨୬ ବର୍ଷରୁ ଅଧିକ ସମୟ ହେବ କଂଗ୍ରେସ ପାଇଁ ଯୁବ ନେତୃତ୍ୱ ଲଢ଼େଇ କରୁଥିବା ବେଳେ, ପିସିସି ସଭାପତି ବିଭୀଷଣ ମନ୍ତବ୍ୟ ଦେବା ଉଚିତ ନୁହେଁ । ଯଦି ବିଭୀଷଣ ଉପାଖ୍ୟାନ ଉଠାଉଛନ୍ତି, ତେବେ ରାବଣ କିଏ ତାର ଉତ୍ତର ଭକ୍ତ ଦାସ ରଖନ୍ତୁ ବୋଲି ଦାବି କଲେଣି ନେତା । ସେହିପରି ପିସିସି ସଭାପତି ଦଳରେ ଏକଚାଟିଆ ଓ ଏକଛାତ୍ରବାଦ ନିଷ୍ପତ୍ତି ନେଉଛନ୍ତି ବୋଲି ଯୁବ ନେତା ଅଭିଯୋଗ କରିଛନ୍ତି ।
ଏଭଳି ବିବାଦ ଭିତରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ସେ କହିଛନ୍ତି ମୁଁ କଂଗେସର ଜଣେ ଶୃଙ୍ଖଳିତ କର୍ମୀ । ଦଳ ପାଇଁ କାମ କରୁଛି, ତେଣୁ ମୋତେ ବିବାଦକୁ ଟାଣନ୍ତୁ ନାହିଁ । ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ କହିବା କଥା, ଏଆଇସିସି ଓଡ଼ିଶାକୁ ଫୋକସରେ ରଖିଛି । ତେଣୁ ନେତାମାନେ ଏକଜୁଟ ହୋଇ କାମ କରିବା ଦରକାର । ସେହିପରି ଦଳରେ ବିବାଦ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଅଶୋକ ଦାସ ।
ଆସନ୍ତା ୨୩ ତାରିଖରେ ପରାଜୟର ସମୀକ୍ଷା କରିବ ଦଳ । ଦୁଇଟି ପର୍ଯ୍ୟାୟରେ ମାନସ ମନ୍ଥନ କରିବେ ଦଳର ମଙ୍ଗୁଆଳ । ହେଲେ ସମୀକ୍ଷା ପୂର୍ବରୁ କଂଗ୍ରେସରେ ମୁହାଁମୁହିଁ ହୋଇଛନ୍ତି ପିସିସି ସଭାପତି ଓ ମୋକିମ୍ ଗୋଷ୍ଠୀ ।

