ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, କେ.ଏଲ. ରାହୁଲ ଅଧିନାୟକ
ନନ୍ଦିଘୋଷ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା । କେ.ଏଲ. ରାହୁଲଙ୍କୁ ଦିନିକିଆ ଦଳର ଅଧିନାୟକ ଦାୟିତ୍ବ ଦିଆଯାଇଛି । ଶବମନ ଗିଲ ଏବଂ ଶ୍ରୀୟସ ଆୟରଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆର ମଙ୍ଗ ସମ୍ଭାଳିବେ ରାହୁଲ । କୋଲକତା ଟେଷ୍ଟରେ ଗିଲ ଆହତ ହୋଇଥିବା ବେଳେ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଆୟର ଆହତ ହୋଇଥିଲେ ।
ଦୁଇ ବର୍ଷ ପରେ ପୁଣି ଅଧିନାୟକ
୩୦ ନଭେମ୍ବର ରବିବାର ରାଞ୍ଚିରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । ସୂଚନାଯୋଗ୍ୟ, ଦୁଇବର୍ଷ ପରେ ରାହୁଲଙ୍କୁ ପୁଣି ଥରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ କରାଯାଇଛି । ୨୦୨୩ରେ ସେହି ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କୁ ଅଧିନାୟକତ୍ବର ସୁଯୋଗ ମିଳିଥିଲା ।
କାହାକୁ ମିଳିଲା ସ୍ଥାନ ?
ଟିମ୍ ଇଣ୍ଡିଆରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ସ୍ଥାନ ମିଳିଛି । ଏହାସହ ଅନ୍ୟ ୪ ଜଣ ଖେଳାଳି ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏଥିରେ ସବୁଠାରୁ ବଡ଼ ନାଁ ହେଉଛି ରବୀନ୍ଦ୍ର ଜାଡେଜା । ଚାମ୍ପିୟନ୍ସ ଟ୍ରଫିର ସଦସ୍ୟ ଥିବା ଜାଡେଜାଙ୍କୁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ ଦିଆଯାଇଥିଲା । ଫଲରେ ତାଙ୍କ ଦିନିକିଆ କ୍ୟାରିୟରକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଥିଲା । ଜାଡେଜାଙ୍କ ପରି ରିଷଭ ପନ୍ତ ମଧ୍ୟ ଦିନିକିଆ ଦଳକୁ ଫେରିଛନ୍ତି । ଚାମ୍ପିୟନ୍ସ ଟ୍ରଫି ପରେ ପ୍ରଥମ ଥର ତାଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି । ତେବେ ଚାମ୍ପିୟନ୍ସ ଟ୍ରଫିରେ ଟିମରେ ଥିଲେ ବି ତାଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାକୁ ସୂଯୋଗ ମିଳି ନଥିଲା । ପୂରା ଟ୍ରଫିରେ ରାହୁଲ ଓ୍ବିକେଟ କିପିଂ କରିଥିଲେ । ଏମିତି ସ୍ଥିତିରେ ଦେଖିବାକୁ ବାକି ରହିଲା ତାଙ୍କୁ ଏଥର ପଡ଼ିଆରେ ଦେଖିବାକୁ ମିଳିବ କି ନାହିଁ । ଏମାନଙ୍କ ବାଦ ଋତୁରାଜ ଗାୟକଓ୍ବାଡଙ୍କୁ ମଧ୍ୟ ୨୦୨୩ ପରେ ପ୍ରଥମ ଥର ଦିନିକିଆ ଦଳର ସ୍ଥାନ ମିଳିଛି । ସେହିପରି ମିଡିଲ ଅର୍ଡର ବ୍ୟାଟର ତିଲକ ବର୍ମା ବି ଟିମରେ ସ୍ଥାନ ପାଇଛନ୍ତି ।
କିଏ ଟିମରୁ ଆଉଟ୍ ?
ଷ୍ଟାର ସ୍ପେସର ଜସପ୍ରିତ ବୁମ୍ରାଙ୍କୁ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜରେ ବିଶ୍ରାମ ଦିଆଯାଇଛି । ସେହିପରି ଦ୍ରୁତ ବୋଲର ମହମ୍ମଦ ସରାଜଙ୍କୁ ବି ବ୍ରେକ୍ ଦିଆଯାଇଛି । ଜାଡେଜାଙ୍କ କମବ୍ୟାକ ପରେ ସ୍ପିନର ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଟିମରେ ସ୍ଥାନ ମିଳିନି । ନଭେମ୍ବର ୩୦ରେ ରାଞ୍ଚିରେ ପ୍ରଥମ ମ୍ୟାଚ୍ ଖେଳା ଯିବାକୁ ଥିବା ବେଳେ ୩ ଡିସେମ୍ବରରେ ରାୟପୁରରେ ଦ୍ବିତୀୟ ଓ ୬ ଡିସେମ୍ବରରେ ବିଶାଖାପାଟନମରେ ତୃତୀୟ ଦିନିକିଆ ଖେଳାଯିବ ।

