ନନ୍ଦିଘୋଷ ବ୍ୟୁରୋ:ଦେଶର ୫୩ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସୂର୍ଯ୍ୟ କାନ୍ତ। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ତାଙ୍କୁ ଶପଥ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ବହୁ ଗୁରୁତ୍ବପୂର୍ଣ୍ଣ ସାମ୍ବିଧାନିକ ତଥା ନାଗରିକ ଅଧିକାର ସଂକ୍ରାନ୍ତ ରାୟ ଦେଇ ଚର୍ଚ୍ଚାରେ ଅଛନ୍ତି ଜଷ୍ଟିସ ସୂର୍ଯ୍ଯ କାନ୍ତ। ଜଷ୍ଟିସ ବି.ଆର. ଗଭାଇଙ୍କ ପରେ ଦାୟିତ୍ବ ନେଇଛନ୍ତି ଜଷ୍ଟିସ ସୂର୍ଯ୍ୟ କାନ୍ତ। ପରବର୍ତ୍ତୀ ସିଜେଆଇ ହେବା ଲାଗି ଗତ ଅକ୍ଟୋବର ୩୦ରେ ତାଙ୍କ ନାଁ ଘୋଷଣା କରାଯାଇଥିଲା। ଆସନ୍ତା ୧୫ ମାସ ଅର୍ଥାତ ୨୦୨୭ ଫେବ୍ରୁଆରୀ ୯ ଯାଏ ସେ ଦାୟିତ୍ବରେ ରହିବେ। ଉତ୍ସବରେ କେନିୟା, ମାଲେସିଆ, ମରିସସ୍, ନେପାଳ ଓ ଶ୍ରୀଲଙ୍କାର ମୁଖ୍ୟ ନ୍ୟାୟାଧୀଶ ଯୋଗ ଦେଇଥିଲେ।
ହରିଆଣାର ହିସାର ଜିଲ୍ଲାରେ ଗତ ୧୯୬୨ ଫେବ୍ରୁଆରୀ ୧୦ରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ସୂର୍ଯ୍ଯ କାନ୍ତ। ଏକ ସାଧାରଣ ପରିବାରରୁ ଦେଶର ସର୍ବୋଚ୍ଚ ବିଚାର ବିଭାଗୀୟ ସ୍ତରକୁ ଯିବାରେ ଦୀର୍ଘ ସଂଗ୍ରାମ କରିଛନ୍ତି ଜଷ୍ଟିସ ସୂର୍ଯ୍ଯ କାନ୍ତ। ପ୍ରଥମେ ସେ ହିସାରରେ ଜଣେ ଆଇନଜୀବୀ ଭାବେ କାର୍ଯ୍ଯ କରିଥିଲେ। ପରେ ସେ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ଯୋଗଦେଇଥିଲେ। ୨୦୧୮ରେ ସେ ହୋଇଥିଲେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି।
ପିତା ମଦନ ଗୋପାଳ ଶର୍ମା ଜଣେ ସଂସ୍କୃତ ଶିକ୍ଷକ ଥିଲେ । ୧୯୮୧ ମସିହାରେ ହିସାରର ସରକାରୀ ପୋଷ୍ଟ ଗ୍ରାଜୁଏଟ୍ କଲେଜରୁ ସ୍ନାତକ ଏବଂ ୧୯୮୪ ମସିହାରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୨୦୧୧ ମସିହାରେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।

