ରାୟଗଡ଼ା ସଦର ବ୍ଲକ ପଦଗାପାଡୁ ଗାଁରେ ଅଜଣା ରୋଗ ଆତଙ୍କ । ଗୋଡହାତ ଓ ମୁହଁ ଫୁଲିବା ପରେ ଯାଉଛି ଜୀବନ । ଗତ ୬ ମାସରେ ୫ ଜଣଙ୍କ ହେଲାଣି ଅସ୍ଵାଭାବିକ ମୃତ୍ୟୁ । ଭୟରେ ଗାଁ ବାହାରକୁ ବାହାରୁନାହାନ୍ତି ଲୋକେ । ଘରେ ଘରେ ଚାଲିଛି ଝାଙ୍କିରି ପୂଜା । କିଛି ଦିନ ତଳେ ଗାଁର ୨୯ ବର୍ଷୀୟ ଯୁବକ ନାଗେଶ ନିଶିକାଙ୍କ ଅଚାନକ ମୃତ୍ୟୁ ଘଟିଥିଲା । ଚାଷ କାମରୁ ଫେରିବା ପରେ ତାଙ୍କର ହଠାତ ପେଟ ବ୍ୟଥା ଓ ବାନ୍ତି ହୋଇଥିଲା । ପୂର୍ବରୁ ତାଙ୍କର ହାତ ଗୋଡ ଓ ମୁହଁ ସାମାନ୍ୟ ଫୁଲିଥିଲା । ଖାଲି ସେତିକି ନୁହେଁ ଗତ ୬ ମାସ ମଧ୍ୟରେ ଗାଁର ମୁନା ପେରପାକା, ହିରେ ନିଶିକା, ଡିରକା ନିଶିକା ଓ ମୁତୁଲି ପେରପାକାଙ୍କ ଗୋଡ ହାତ ଓ ମୁହଁ ଫୁଲି ଜୀବନ ଗଲାଣି । ରୋଗର କାରଣ ଜଣାପଡିନଥିବା ବେଳେ ଜଣ୍ଡିସରୁ ସମସ୍ତେ ମୃତ୍ୟୁବରଣ କରିଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି ।
ପଦଗାପାଡୁ ଗାଁରେ ୩୦ରୁ ଉର୍ଦ୍ଧ୍ଵ ପରିବାର ବସବାସ କରୁଛନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ଦୁଇଟି ନଳକୂପ ପ୍ରଦାନ କରାଯାଇଛି । କିନ୍ତୁ ଅସ୍ଵାସ୍ଥ୍ୟକର ପରିବେଶ ମଧ୍ୟରେ ଥିବା ଦୁଇଟି ନଳକୂପରୁ ଦୂଷିତ ପାଣି ବାହାରୁଛି । ଲୋକେ ସେହି ପାଣିକୁ ବ୍ୟବହାର କରି ଅନେକ ରୋଗର ଶିକାର ହେଉଥିବା ଅଭିଯୋଗ ହୋଇଛି । ଏବେବି ଗାଁର କିଛି ଲୋକେ ଯକ୍ଷ୍ମା ରୋଗର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି । ହେଲେ ଗ୍ରାମାଞ୍ଚଳରେ ଲୋକଙ୍କୁ ନିୟମିତ ସ୍ଵାସ୍ଥ୍ୟସେବା ମିଳୁନଥିବାରୁ ଆଦିବାସୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଘଟଣାର ଅନୁଧ୍ୟାନ କରି ପଦଗାପାଡୁ ଗାଁରେ ପ୍ରଥମ ପର୍ଯ୍ୟାୟରେ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଡିଓ । ପଦଗାପାଡୁ ଗାଁକୁ ଜିଲ୍ଲା ପ୍ରଶାସନ ଏକ ଡାକ୍ତରୀ ଟିମ ପଠାଇ ଲୋକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ନିହାତି ଆବଶ୍ୟକ ।

